ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ ଧାରା । ୪ ତାରିଖରୁ ୬ ତାରିଖ ଯାଏଁ କଟକଣା । ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟଙ୍କ ପ୍ରଶ୍ନ, ରଥଯାତ୍ରାରେ କେମିତି ଟଣାହେବ ରଥ ।

321

କନକ ବ୍ୟୁରୋ : ଦୁଇ ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ହେଲେ ଚଳିତବର୍ଷ କରୋନା କଟକଣା ଯୋଗୁଁ ମହାପ୍ରଭୁଙ୍କ ନୀତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ବିନା ଭକ୍ତରେ ଏହି ଉତ୍ସବକୁ ପାଳନ କରିବାକୁ ନିଷ୍ପତି ନେଇଛନ୍ତି ସରକାର । ସତର୍କତା ଦୃଷ୍ଟିରୁ ଶ୍ରୀମନ୍ଦିର ଚର୍ତୁପାଶ୍ୱରେ ୧୪୪ ଧାରା ଲଗାଇବାକୁ ନିଷ୍ପତି ନେଇଛି ପ୍ରଶାସନ । ଅନ୍ୟପଟେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ରଥଯାତ୍ରା ପ୍ରସ୍ତୁତି ନେଇ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ ।

ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ୧୪୪ ଧାରା । ୪ ତାରିଖରୁ ୬ ତାରିଖ ଯାଏଁ କଟକଣା । ସ୍ନାନଯାତ୍ରାକୁ ବିନା ଭକ୍ତରେ ଓ ଶୃଙ୍ଖଳିତ ଭାବେ କରିବା ପାଇଁ ବଡ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । କୌଣସି ଶ୍ରଦ୍ଧାଳୁ ଯେଭଳି ସ୍ନାନଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ଭିଡ ନଜମାନ୍ତି, ସେଥିପାଇଁ ପୁରୀରେ ଲାଗୁ ହେବ ୧୪୪ ଧାରା । ଶ୍ରୀମନ୍ଦିର ସମ୍ମୁଖ ମାର୍କେଟ ଛକରୁ, କାକୁଡିଖାଇ ଛକ ଓ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଲାଗୁ ହେବ । ଆସନ୍ତା ୫ ତାରିଖ ସ୍ନାନପୂର୍ଣ୍ଣିମା ଥିବାରୁ ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ କଟକଣା ଲାଗୁ କରିବ ପ୍ରଶାସନ ।

ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ । ରଥଯାତ୍ରାରେ କେମିତି ଟଣାହେବ ରଥ? ରଥଯାତ୍ରା ବନ୍ଦ ରଖିବାକୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସରକାରଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ । ରଥ ଟାଣିବାକୁ କି ପ୍ରକାର ବୈଷୟିକ ବ୍ୟବସ୍ଥା କରାଯାଇଛି ଓ ଭକ୍ତଙ୍କ ପ୍ରବେଶ ରୋକିବାକୁ ସରକାର କି ପଦକ୍ଷେପ ନେଇଛନ୍ତି ସେନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ ରଥଯାତ୍ରା କରିବାକୁ ଆବେଦନ କରିଥିବା ପକ୍ଷ ସାମାଜିକ ଦୂରତା ମାନି ରଥଯାତ୍ରା କରିବାକୁ ଅନୁରୋଧ କରିଛନ୍ତି ।

କଟକଣା ଭିତରେ ଏଥର ସମ୍ପୂର୍ଣ୍ଣ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ହେଲେ ରଥଯାତ୍ରା ହେବ କି ନାହିଁ ସେନେଇ ଦ୍ୱନ୍ଦ୍ୱ ଦୂର ହୋଇ ନାହିଁ । ଗୋଟିଏ ପଟେ କଟକଣା ଓ ଅନ୍ୟ ପଟେ ମହାପ୍ରଭୁଙ୍କ ନୀତି, ପରମ୍ପରା ବଜାୟ ରଖିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।