ନାଗାର୍ଜୁନ ବେଶ ପାଇଁ ପୁରୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା: ବଡଦାଣ୍ଡରେ ୧୪୪ ଧାରା ଜାରି; ରାତି ୨ଟାରୁ ଆଜି ନାଗାର୍ଜୁନ ବେଶ ଓଲାଗି ଯାଏଁ ରହିବ କଟକଣା

91

କନକ ବ୍ୟୁରୋ: କରୋନା କଟକଣା ଯୋଗୁଁ ଏହି ବେଶର ଦର୍ଶନରୁ ବଂଚିତ ହୋଉଛନ୍ତି ଭକ୍ତ । ନାଗାର୍ଜୁନ ବେଶ ପାଇଁ ପୁରୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମରିଚକୋଟ ଛକରୁ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ୧୪୪ ଧାରା ଜାରି ହୋଇଛି । ରାତି ୨ଟାରୁ ଆଜି ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା ବଳବତର ରହିବ । ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ୨୫ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୧୪୪ ଧାରା ଜାରି ସମୟରେ ପତିତପାବନ ଦର୍ଶନରୁ ବଂଚିତ ରହିବେ ଭକ୍ତ । ଅର୍ଥାତ୍ ସିଂହଦ୍ୱାର ନିକଟକୁ ଅନୁମତି ପ୍ରାପ୍ତ ବ୍ୟକ୍ତି ବ୍ୟତୀତ ଅନ୍ୟମାନଙ୍କ ପ୍ରବେଶ ନିଷେଧ କରାଯାଇଛି ।

ଦ୍ୱାରଫିଟା ନୀତି ପୂର୍ବରୁ ସିଂହଦ୍ୱାରଠାରୁ ହରଚଣ୍ଡି ସାହି ପର୍ଯ୍ୟନ୍ତ ରାସ୍ତାକୁ ସଫା କରିବା ସହ ଶୋଧ କରାଯାଇଛି । ଶୁଭମୁହୁର୍ତରେ ପୂଜାପାଠ କରାଯାଇ ବିଜେ କାହାଳି ବାଜିବା ପରେ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି ମହାପ୍ରଭୁଙ୍କ ପାଇଁ ତିଆରି ହୋଇଥିବା ନାଗାର୍ଜୁନ ବେଶ । ତିନି ପ୍ଲାଟୁନ ପୋଲିସ ଫୋର୍ସଙ୍କ ସୁରକ୍ଷା ବଳୟ ଭିତରେ ମହାପ୍ରଭୁଙ୍କ ବେଶ ସାମଗ୍ରୀ ମନ୍ଦିରକୁ ଅଣାଯାଇଛି । ଅନ୍ୟପଟେ ଶ୍ରୀଜିଉଙ୍କ ଦର୍ଶନରୁ ବଂଚିତ ଭକ୍ତ ନିଷିଦ୍ଧାଂଚଳ ବାହାରେ ରହି ଶ୍ରୀମନ୍ଦିରର ଦର୍ଶନ କରୁଛନ୍ତି । ଭକ୍ତର ଭାବ ଏମିତି ଯେ ମହାପ୍ରଭୁଙ୍କ ଆକୁଳ ପ୍ରାର୍ଥନା କଲା ବେଳେ ଆଖିରେ ଆନନ୍ଦାଶ୍ରୁ ଝରିଯାଉଥିବା ଦେଖିବାକୁ ମିଳିଛି । ଶେଷଥର ପାଇଁ ୧୯୯୪ ମସିହାରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା ।