ରାଜ୍ୟରେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସବୁଠୁ ଅଧିକ ବାହାରିଲା ସ୍ଥାନୀୟ ସଂକ୍ରମଣ: ୩୧ ଜଣ ସ୍ଥାନୀୟ ଲୋକଙ୍କଠାରେ ଠାବ ହେଲା କରୋନା ଭୁତାଣୁ

ଆଜି ଚିହ୍ନଟ ହୋଇଛନ୍ତି ୧୪୧ ନୂଆ ଆକ୍ରାନ୍ତ

6,601

କନକ ବ୍ୟୁରୋ: ରାଜ୍ୟରେ ଆଜି ୧୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମାନଙ୍କ ମଧ୍ୟରେ ୩୧ ଜଣ ସ୍ଥାନୀୟ ଲୋକ ଅଛନ୍ତି । ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୯୫ ପ୍ରତିଶତ ଆକ୍ରନ୍ତ ବାହାର ରାଜ୍ୟରୁ ଆସିଥାନ୍ତି । କିନ୍ତୁ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନ୍ୟ ଦିନ ଅପେକ୍ଷା ସବୁଠାରୁ ଅଧିକ ସ୍ଥାନୀୟ ଆକ୍ରନ୍ତ ଅଛନ୍ତି ।

ତେବେ ଏମାନେ କେଉଁ ଅଂଚଳର ଏବଂ ସେମାନେ କେମିତି ସଂକ୍ରମିତ ହେଲେ ସେନେଇ ରାଜ୍ୟ ସରକାର କୌଣସି ସୂଚନା ଦେଇନାହାନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମରେ ସର୍ବାଧିକ ୨୭ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୨୬ଜଣ, ନୂଆପଡାରେ ୧୯ଜଣ, କେନ୍ଦ୍ରାପଡାରେ ୧୩ଜଣ ଓ ଯାଜପୁରରୁ ୧୦ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୮ଜଣ, ବଲାଙ୍ଗୀରରୁ ୭ଜଣ, କଟକରୁ ୬ଜଣ, ପୁରୀରୁ ୫ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ଜଗତସିଂହପୁର, ଗଜପତି ଓ କେନ୍ଦୁଝରରୁ ୪ଜଣ ଲେଖାଏଁ, ବାଲେଶ୍ୱର ଓ ଢେଙ୍କାନାଳରୁ ୨ଜଣ ଲେଖାଏଁ ଏବଂ ନୟାଗଡ, ମୟୂରଭଂଜ, ଅନୁଗୁଳ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୧୪୧ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୦ଜଣ ସଙ୍ଗରୋଧରେ ଥିବା ବେଳେ ଅନ୍ୟ ୩୧ଜଣଙ୍କୁ ନେଇ ଚିନ୍ତା ବଢିଛି ।