ଦେଶ ପାଇଁ ଆଉ ଏକ ବିପଦ, କେରଳରେ ୧୪ ଜଣଙ୍କ ଠାରେ ‘ଜିକା’ ଭୂତାଣୁ ଚିହ୍ନଟ । କରୋନା କଟକଣା କୋହଳ ପରେ ବଢୁଛି ଦୈନିକ ସଂକ୍ରମଣ

349

କନକ ବ୍ୟୁରୋ : କେରଳରେ ପୁଣି ଆଉ ଏକ ଭୂତାଣୁ ସଂକ୍ରମଣ । ରାଜ୍ୟରେ ୧୪ ଜଣଙ୍କ ଠାରେ ଚିହ୍ନଟ ହୋଇଛି ‘ଜିକା’ ଭୂତାଣୁ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି କି କରୋନା କଟକଣା କୋହଳ ହେବା ପରେ ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି ।

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଗର୍ଗ କହିଛନ୍ତି କି ଲକଡାଉନ ଲାଗୁ କରିବା,ଅଧିକ ସଂକ୍ରମିତ କ୍ଷେତ୍ରକୁ ଚିହ୍ନଟ କରିବା ଓ ସରକାରଙ୍କ ଦ୍ୱାରା ନମୂନା ପରୀକ୍ଷଣ ବଢାଇବା ପରେ ବି ରାଜ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି । ସେ କହିଛନ୍ତି କି ରାଜ୍ୟରେ ଚିକିତ୍ସା କ୍ଷମତା ଠାରୁ ଯେଭଳି ସଂକ୍ରମିତଙ୍କ ସଂଖ୍ୟା ଅଧିକ ନହୁଏ ତାହା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି    । ଏହା ସହ ଯେମିତି ବେଡ, ଅକ୍ସିଜେନ ଓ ଔଷଧ ଅଭାବରୁ ରୋଗୀଙ୍କର ମୃତ୍ୟୁ ନହୁଏ ତାହା ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି ।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବେଗ ପ୍ରକାଶ କରିଛନ୍ତି । ହେଲେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି କି ରାଜ୍ୟରେ ବଢୁଥିବା ଦୈନିକ ସଂକ୍ରମଣର କାରଣ ଖୋଜିବାକୁ କେନ୍ଦ୍ର ପଠାଇଥିବା ଟିମ୍, ରାଜ୍ୟ ସରକାରଙ୍କ କୋଭିଡ ମୁକାବିଲା ସନ୍ତୁଷ୍ଟ ହୋଇଛନ୍ତି । କହିରଖୁ କି ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୩,୭୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦,୨୫,୪୪୬ କୁ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣରେ ୧୪୨ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୧୪,୨୫୦ ରେ ପହଂଚିଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଗର୍ଗ କହିଛନ୍ତି କି ରାଜ୍ୟରେ କୋଭିଡ କଟକଣା କୋହଳ କରାଯିବା ଲୋକମାନେ ବହୁଳ ସଂଖ୍ୟାରେ ବାହାରୁଛନ୍ତି ଯାହା ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି । ଏହା ସହ ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ପକ୍ଷରୁ ଲୋକମାନଙ୍କ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ନଜର ରଖିଛନ୍ତି ।