କନକ ବ୍ୟୁରୋ: ପଢିବାକୁ ଇଚ୍ଛା ଅଛି, ହେଲେ ପରିସ୍ଥିତି ପାଠରେ ଡୋରି ଲଗେଇଦେଇଛି । ମନରେ ଆଗକୁ ବଢିବାକୁ ଇଚ୍ଛା ଥିଲେ ବି, ମନକୁ ମାରି ପରିବାରର ବୋଝ ମୁଣ୍ଡାଇଛି ଏ କୁନି ଝିଅ । ବର୍ଷା, ବୟସ ଏଇ ମାତ୍ର ୧୪ ବର୍ଷ । ଏ ବୟସରେ ବର୍ଷା ଚାଉଳ ବାଛୁଛି, ପରିବା କାଟୁଛି ଆଉ ଜଙ୍ଗଲ ଯାଇ ଜାଳ ଗୋଟୋଉଛି । ଇଚ୍ଛା ଥିଲେ ବି ନା, ସେ ସ୍କୁଲ ଯାଇ ପାରୁଛି । ନା ସେ ପାଠ ପଢିପାରୁଛି । ବାପା ମାଆ ଆରପାରିକୁ ଯିବା ପରେ, ତା ସବୁ ସ୍ୱପ୍ନ ଏବେ ସେଇ ସ୍ୱପ୍ନରେ ରହିଯାଇଛି ।

Advertisment

ଆଠଗଡ ବ୍ଲକ ଗୋବରା ପଞ୍ଚାୟତ ଆଦିବାସୀ ପଡା ଓର୍ଦ୍ଧା ଗାଁର ଏ ହେଉଛି ସେହି ବର୍ଷା । ଯିଏ ସଂଘର୍ଷ କଣ ଜାଣିବା ଆଗରୁ, ସଂଘର୍ଷ ଭିତରେ ଜୀବନ ବିତାଉଛି । ସ୍ୱପ୍ନ ଟିକକ ଦେଖିବା ପୂର୍ବରୁ, ତା ସବୁ ଇଚ୍ଛା ଭାଙ୍ଗିରୁଜି ଚୁରମାର ହେଇଯାଇଛି । ଅଷ୍ଟମ ଶ୍ରେଣୀରୁ ବର୍ଷାର ପାଠ ପଢାରେ ପୂର୍ଣ୍ଣଚ୍ଛେଦ ଟଣା ହେଇଥିବାବେଳେ, ବାପା ମାଆ ଉଭୟଙ୍କ ମୃତ୍ୟୁ ତା ଜୀବନରେ କଳା ବାଦଲ ଢାଙ୍କି ଦେଇଛି ।

ଗଲା କରୋନା ବେଳେ ବର୍ଷାର ମାଆ ହଠାତ୍ ଅସୁସ୍ଥ ହେଇ ଆଖି ବୁଜିଥିଲେ । ଆଉ ଏବେ ୨୦, ୨୫ ଦିନ ତଳେ ବାପା ବି ଆରପାରିକୁ ଚାଲିଯାଇଛନ୍ତି । ଘରେ ଏବେ ଦୁଇ ସାନ ଭାଇ, ଆଉ ପରିବାର ବୁଝିବାର ବୋଝ । ଯାହା ବର୍ଷାକୁ ସ୍କୁଲ ନଯିବାକୁ ବାଧ୍ୟ କରିଛି, ଆଉ ତା ପାଠ ପଢାରେ ଡୋରି ବାନ୍ଧିଛି ।

ବର୍ଷା ରହୁଥିବା ଏ ଗାଁ , ଆଜି ବି ବିକାଶଠୁ ବହୁତ ଦୂରରେ । ଆଜି ବି ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ଜଙ୍ଗଲ ଦେଇ ୨୦ କିଲୋମିଟର ବାଟ ଚାଲିବାକୁ ପଡେ । ସେପଟେ ହାଇସ୍କୁଲ ବି ଗାଁଠୁ ୨୦ କିଲୋମିଟର ଦୂର । ତେଣୁ ଏଭଳି ସ୍ଥିତିରେ ଘର କାମ ବୁଝି, ସ୍କୁଲ ଯିବା ବର୍ଷା ପାଇଁ ଅସମ୍ଭବ ହେଇପଡିଛି । ତେବେ ଖାଲି ନୁହେଁ, ତା ଭଳି ଅନେକ ପିଲା, ସ୍କୁଲ ଦୂର ବାଟ ହେବା ଯୋଗୁ, ପାଠପଢା ବନ୍ଦ କରିଦେଇଛନ୍ତି । ତେଣୁ ଗାଁରେ ସ୍କୁଲଟିଏ ଖୋଲିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ତେବେ ବର୍ଷା ଭଳି ଏମିତି ଅନେକ ପିଲା ଅଛନ୍ତି, ଯେଉଁମାନଙ୍କର ପଢିବାକୁ ଇଚ୍ଛା ତ ଅଛି । ହେଲେ ପରିବାରର ବୋଝ  ଆଉ ପରିସ୍ଥିତି ଆଜି ତାଙ୍କୁ ଶିକ୍ଷାଠୁ ଦୂରରେ ରଖିଛି । କେଉଁଠି ସ୍କୁଲ ଦୂରରେ ତ, କେଉଁଠି ରାସ୍ତା ଖରାପ । ତେଣୁ ସରକାର ଏ ଦିଗ ପ୍ରତି ଦୃଷ୍ଟି ଦେଲେ, ବର୍ଷା ଭଳି ଅନେକ ପିଲା ପାଠ ଟିକେ ପଢିପାରନ୍ତେ, ଜୀବନରେ ଆଗକୁ ବଢିପାରନ୍ତେ ।