ଧନ୍ୟ ସେ ଜୀବନ । ଯିଏ ୬ଜଣଙ୍କୁ ଦେଲେ ନୂଆ ଜୀବନ।

125

କନକ ବ୍ୟୁରୋ: ମୃତ୍ୟୁ ପରେ ବି ଅମର ରହିବା ଖୁବ୍ କମ ଲୋକଙ୍କ ଭାଗ୍ୟରେ ଜୁଟେ । ଏପରି ସୌଭାଗ୍ୟର ଅଧିକାରୀ ହୋଇଛନ୍ତି ମାତ୍ର ୧୪ ବର୍ଷର ନାବାଳକ । ସେ ହେଲେ ସୁରଟର ଧାର୍ମିକ କାକଡିୟା । ସେ ଆଉ ଇହଧାମରେ ନାହାଁନ୍ତି ସତ ହେଲେ ୬ଜଣଙ୍କ ମାଧ୍ୟମରେ ସେ ଏବବି ବଂଚି ରହିଛନ୍ତି । ଦେଖିପାରୁଛନ୍ତି ଏ ସୁନ୍ଦର ବିଶ୍ୱକୁ । ଘଟଣା କିଛି ଏପରି ।

ସୁରଟ ବାସିନ୍ଦା ଅଜୟ ଭାଇ କାକଡିୟାଙ୍କ ପୁଅ ଧାର୍ମିକ କାକଡିୟା । ବୟସ ମାତ୍ର ୧୪ ବର୍ଷ । ପାଠ ସହ ଖେଳକୁଦ ସବୁଥିରେ ଥିଲେ ଧୁରୀଣ । ହେଲେ ଦିନେ ତାଙ୍କ ଦେହ ଅସୁସ୍ଥ ହୋଇପଡିଲା । ଚିକିତ୍ସା ପରେ ଭଲ ବି ହୋଇଗଲେ । ପୂର୍ବଭଳି ପୁଣି ସକ୍ରିୟ ଥିଲେ । ହେଲେ ଅକ୍ଟୋବର ୨୭ ତାରିଖରେ ପୁଣିଥରେ ହଠାତ୍ ତାଙ୍କ ଦେହ ଗୁରୁତର ଭାବେ ଅସୁସ୍ଥ ହୋଇପଡିଲା । ସେ ସଂଜ୍ଞାହୀନ ହୋଇଗଲେ ।ତାଙ୍କୁ ତୁରନ୍ତ ସୁରଟ ସ୍ଥିତ କିରଣ ହସ୍ପିଟାଲକୁ ନିଆଗଲା । ହେଲେ ପରୀକ୍ଷା ପରେ ଡାକ୍ତର ଯାହା କହିଲେ ସେଥିରେ ବାପା ମା’ଙ୍କର ବୁଦ୍ଧି ବଣା ହୋଇଗଲା । ତାଙ୍କ ବ୍ରେନ୍ ଡେଡ୍ ହୋଇଯାଇଛି ବୋଲି ଡାକ୍ତର କହିଲେ । ଏହି ଖବର ବନ୍ଧୁବାନ୍ଧବ ସମସ୍ତେ ଜାଣିଲେ । ସ୍ଥାନୀୟ ଡୋନେଟ୍ ଲାଇଫ୍ ସଂସ୍ଥା ପାଖକୁ ମଧ୍ୟ ଏହି ଖବର ଗଲା । ତୁରନ୍ତ ସଂସ୍ଥାର ଟିମ୍ ଯାଇ ଧାର୍ମିକଙ୍କ ପାଖରେ ପହଞ୍ଚିଲେ । ତାଙ୍କୁ ଅଙ୍ଗଦାନର ମହତ୍ୱ ବୁଝାଇଲେ । ଅଙ୍ଗଦାନ ପରି ମହାପୁଣ୍ୟକୁ ହୃଦବୋଧ କରିପାରିଥିଲେ ଧର୍ମିକଙ୍କ ବାପା, ମା’ । ପୁଅକୁ ହରାଇବା ପରେ ବି ପାଖରେ ପାଇପାରିବାର ଗୁରୁତ୍ୱକୁ ବୁଝିପାରିଥିଲେ । ପୁଅର ଆଖି, ହାର୍ଟ, ଫୁସଫୁସ୍, କିଡନୀ, ଓ ଦୁଇ ହାତକୁ ଦାନ କରିଥିଲେ । ଫଳରେ ୬ଜଣଙ୍କୁ ମିଳିଲା ନୂଆ ଜୀବନ ।

ଅଙ୍ଗଗୁଡିକୁ ଠିକଣା ସ୍ଥାନରେ ପହଞ୍ଚାଇବା ପାଇଁ ଏକାଧିକ ଗ୍ରୀନ କରିଡର କରାଗଲା । ଫଳରେ ଅଙ୍ଗ ଗୁଡିକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ମାଧ୍ୟମରେ ଠିକ୍ ସମୟରେ ଯଥାସ୍ଥାନରେ ପହଞ୍ଚାଯାଇଥିଲା । ଅଙ୍ଗଗୁଡିକୁ ଅହମଦାବାଦ, ମୁମ୍ବାଇର ବିଭିନ୍ନ ସ୍ଥାନକୁ ନିଆଯାଇଥିଲା । ଧାର୍ମିକଙ୍କ ଆଖି ଦୁଇଟି ସେ ଭର୍ତ୍ତି ହୋଇଥିବା କିରଣ ହସ୍ପିଟାଲର ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିଲା । ସତରେ ମୃତ୍ୟୁ ପୂର୍ବରୁ ୬ଜଣଙ୍କୁ ନୂଆ ଜୀବନ ଦେଇ ଜୀବନକୁ ସାର୍ଥକ କରିଦେଇଯାଇଛନ୍ତି ଧାର୍ମିକ ।