୪ ପୃଷ୍ଠା ବିଶିଷ୍ଟ ଇସ୍ତଫା ପତ୍ରରେ ଅନେକ ଗୁମର ଫିଟାଇଲେ ରାହୁଲ । ପଢନ୍ତୁ ରାହୁଲଙ୍କ ଆବେଗଭରା ଚିଠି…

2,857

କନକ ବ୍ୟୁରୋ: କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ । ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ନିଜକୁ ଦାୟୀ କରି ସଭାପତି ପଦରୁ ଇସ୍ତଫା ଦେଲେ ରାହୁଲ । ଦଳର ଭବିଷ୍ୟତ ପାଇଁ ଉତ୍ତରଦାୟୀତ୍ୱ ନେବା ବଡ କଥା । ତେଣୁ ଦଳର ଅଭିବୃଦ୍ଧି ପାଇଁ ନୈତିକତା ଦୃଷ୍ଟିରୁ ମୁଁ ପଦରୁ ଇସ୍ତଫା ଦେଲି ବୋଲି ରାହୁଲ କହିଛନ୍ତି । ତେବେ ଇସ୍ତଫାର କାରଣ ୪ ପୃଷ୍ଠାରେ ଲେଖିଛନ୍ତି ରାହୁଲ । କଣ ପାଇଁ ଆଉ କେଉଁ କାରଣରୁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲେ ତାର ସବିଶେଷ ତଥ୍ୟ ଲେଖି ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି ରାହୁଲ ।
ତେବେ ପଢନ୍ତୁ ରାହୁଲ ଲେଖିଥିବା ୪ ପୃଷ୍ଠାର ଇସ୍ତଫା ପତ୍ରରୁ ୧୪ ବଡ କଥା…


କଂଗ୍ରେସର ସେବା କରିବା, କଂଗ୍ରେସ ପାଇଁ କାମ କରିବା ମୋ ପାଇଁ ଗର୍ବର ବିଷୟ । କଂଗ୍ରେସର ସଭାପତି ପଦରେ ରହିବା ବହୁତ ବଡ କଥା । ଦଳ ପକ୍ଷରୁ ମୋତେ ଯେଉଁ ଭଲ ପାଇବା ମିଳିଛି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ।

୧- ୨୦୧୯ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ମୁଁ ଦାୟୀ । ଦଳର ଅଧ୍ୟକ୍ଷ ହିସାବରେ ମୁଁ ନିଜରୁ ଦାୟୀ କରୁଛି ।

୨- ମୋ ମତରେ ଦଳର ଆଗାମୀ ଭବିଷ୍ୟତ ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ଉତ୍ତର ଦାୟୀ ରହିବା ଦରକାର ।

୩- ଚଳିତ ନିର୍ବାଚନରେ ମୋ ଦଳ ଯେଉଁ ସଂଘର୍ଷ କରିଛି ତାକୁ ମୁଁ ସମ୍ମାନ ଜଣାଉଛି ।

୪- ନୂଆ ଅଧ୍ୟକ୍ଷଙ୍କ ନାଁ ମୁଁ ପ୍ରସ୍ତାବ ଦେବିନି । ନୂଆ ସଭାପତି ଚୟନ କରିବା ପାଇଁ ମୁଁ କମିଟିକୁ କହିଛି ।

୫- ରାଜନୈତିକ କ୍ଷମତା ପାଇଁ ଏ ଯୁଦ୍ଧ ମୋ ପାଇଁ ସହଜ ନଥିଲା । ବହୁତ ଜଟିଳ ଥିଲା ।

୬- ନିର୍ବାଚନରେ ଆମ ବିରୋଧରେ ପୂରା ବ୍ୟବସ୍ଥା ଲାଗିପଡିଥିଲା ।

୭- ମୁଁ ଏକାକୀ ପ୍ରଧାନମନ୍ତ୍ରୀଙ୍କ ସହ ଲଢେଇ କରୁଥିଲି, ଆରଏସଏସ ସହ ଲଢେଇ କରୁଥିଲି ।

୮- ମୋର ବିଜେପି ପ୍ରତି କୌଣସି ଘୃଣା ଭାବ ନାହିଁ । ତାଙ୍କ ଆଦର୍ଶ ଉପରେ ଘୃଣା ରହିଛି ।

୯- ଆରଏସଏସ ଆଉ ଏହି ଆଦର୍ଶରେ ଗଢା କିଛି ଅନୁଷ୍ଠାନ ଦେଶକୁ, ପୂରା ବ୍ୟବସ୍ଥାକୁ ନିଜ ଅଧିନରେ ରଖିବାକୁ ଚାହୁଁଛନ୍ତି । ମୁଁ ତାକୁ ବିରୋଧ କରୁଛି ।

୧୦- ଯେଉଁ ଆଦର୍ଶରେ ଭାରତ ଗଢା ହୋଇଥିଲା ସେ ଆଦର୍ଶ ଆଉ ଭାରତରେ ନାହିଁ । ମୁଁ ଭାରତକୁ ବହୁତ ଭଲପାଏ । ସେଇଥିପାଇଁ ମୁଁ ଏ ଆରଏସଏସ ଆଦର୍ଶ ବିରୋଧରେ ଏକାକୀ ଲଢିଛି ।

୧୧- ଅଧ୍ୟକ୍ଷ ପଦରେ ରହି ମୁଁ ଏକାକୀ ଲଢିଥିବାରୁ ନିଜକୁ ଗର୍ବିତ ମନେ କରୁଛି । ମୁଁ ଭାରତ ମାତାର ବିଶ୍ୱସ୍ତ ସିପାହୀ । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଭାରତ ମାତା ପାଇଁ ଲଢିବି ।

୧୨- ପରାଜୟ ପରେ ମୁଁ ଅନେକ ଶିଖିଲି । ହାରିବାର ଆଭାସ ପାଇ ବି କର୍ମୀଙ୍କ ନିଷ୍ଠାପରତା ମତେ ଅନେକ କିଛି ଶିଖାଇଛି । କେହି କ୍ଷମତାକୁ ତ୍ୟାଗ କରିବାକୁ ଚାହାନ୍ତିନି । ମାତ୍ର ମୁଁ ବିରୋଧୀଙ୍କୁ ହରାଇବାକୁ ତ୍ୟାଗ କଲି ।

୧୩- ଦେଶରେ ଗୋଟେ ସ୍ୱଚ୍ଛ ନିର୍ବାଚନର ଆବଶ୍ୟକତା ରହିଛି । ଦେଶରେ ସେତେବେଳେ ସ୍ୱଚ୍ଛ ନିର୍ବାଚନ ହେବ ଯେତେବେଳେ ଗଣମାଧ୍ୟମର ସ୍ୱାଧିନତା ଥିବ । ସ୍ୱାଧିନ ନ୍ୟାୟପାଳିକା ଥିବ ଆଉ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତୀର ନିର୍ବାଚନ କମଶନ ଥିବେ ।

୧୪- ଦେଶରେ ଗଣତନ୍ତ୍ର ପୂରା ଦୁର୍ବଳ ହୋଇଗଲାଣି । ମୁଁ ସେହି ପରିବର୍ତ୍ତିତ ବ୍ୟବସ୍ଥା ସହ ଲଢିବି । ମୋ ଶିରା ପ୍ରଶିରାରେ କଂଗ୍ରସ ରକ୍ତ ବହୁଛି । ମୁଁ କଂଗ୍ରେସମ୍ୟାନ । ମୋତେ ବିଶ୍ୱାସ କରି, ଭରସା କରି ମୋତେ ଏତେ ବଡ ଦାୟିତ୍ୱ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଜୟ ହିନ୍ଦ୍…