କନକ ବ୍ୟୁରୋ: ଆଜି ରାଜ୍ୟରେ ଆଉ ୧୪ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଗଂଜାମରେ ୧୨, ଭଦ୍ରକରେ ୧ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ରିପୋର୍ଟ ଆସିବା ପରେ ଗଂଜାମ ପାଇଁ ଚିନ୍ତା ଆହୁରି ବଢି ଯାଇଛି । ଦିନ କେଇଟାରେ ହଟସ୍ପଟ୍ ପାଲଟିଛି ଗଂଜାମ ଜିଲ୍ଲା । ଏବେ ସୁଦ୍ଧା ଜିଲ୍ଲାରେ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଆକ୍ରାନ୍ତ ସୁରତ ଫେରନ୍ତା । ଯଦିଓ ଆଜିର ଆକ୍ରାନ୍ତଙ୍କ ଗସ୍ତ ସୂଚନା ମିଳି ନାହିଁ । ପୂର୍ବରୁ ଚିହ୍ନଟ ହୋଇଥିବା ୭୧ ଜଣଙ୍କ ମଧ୍ୟରୁ ୭୦ ଜଣ ସୁରତ ଫେରନ୍ତା ଅଛନ୍ତି । କେବଳ ଜଣେ କେରଳ ଫେରନ୍ତାଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ଗତକାଲି ରାଜ୍ୟରେ ମୋଟ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ଚିହ୍ନଟ ହୋଇଥିଲେ ୪୩ ଜଣ ଆକ୍ରାନ୍ତ ।
ତେବେ ଭଦ୍ରକରେ ଆଜି ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛି । ଆଜିର ଆକ୍ରାନ୍ତଙ୍କ ମିଶାଇ ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ହୋଇଛି । ଭଦ୍ରକ ଆକ୍ରାନ୍ତ ତିହିଡି ବ୍ଲକର । ସେ ନିକଟରେ ସୁରତରୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିଭଳି ସୁନ୍ଦରଗଡରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣ ରାଉରକେଲାର ହୋଇଥିବା ସୂଚନା ମିଳିଛି ।