କନକ ବ୍ୟୁରୋ: ଆଜି ରାଜ୍ୟରେ ଆଉ ୧୪ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଗଂଜାମରେ ୧୨, ସୁନ୍ଦରଗଡ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି କଣ ରହିଛି । ଏମାନେ ବାହାର ଫେରନ୍ତା ନା କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି , ସେନେଇ କୌଣସି ସୂଚନା ସ୍ପଷ୍ଟ କରିନାହିଁ ବିଭାଗ । କେବଳ ଚିହ୍ନଟ ହୋଇଥିବା ୧୪ ନୂଆ ଆକ୍ରାନ୍ତ ଗଂଜାମ, ସୁନ୍ଦରଗଡ ଏବଂ କେନ୍ଦ୍ରାପଡାର ବୋଲି ସ୍ପଷ୍ଟ କରିଛି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଛି ।
ଅନ୍ୟପଟେ ନୂଆ ଆକ୍ରାନ୍ତଙ୍କ ମିଶାଇ ଗଂଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୭କୁ ବୃଦ୍ଧି ପାଇଥିବା ବେଳେ ୧୩୬ ଜଣ କୋଭିଡ ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କୁ ମିଶାଇ ସୁନ୍ଦରଗଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଂଚିଲା ଏବଂ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ଟି ମାମଲା ସଂକ୍ରିୟ ରହିଛି । ତେବେ କେନ୍ଦ୍ରାପଡାରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ୯ ଜଣ କରୋନାରେ ସଂକ୍ରମିତ ହେଲେଣି । ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ଜଣ ବର୍ତ୍ତମାନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ତେବେ ମୋଟ ଉପରେ କହିବାକୁ ଗଲେ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ରେ ପହଂଚିଛି । ଏଥିମଧ୍ୟରୁ ୩୨୦ଟି ସଂକ୍ରୟ ମାମଲା ରହିଥିବା ବେଳେ ୬୮ ଜଣ ସୁସ୍ଥ ହୋଇ ବର୍ତ୍ତମାନ ଘରକୁ ଫେରିଛନ୍ତି ଏବଂ ୩ ଜଣଙ୍କର ଦୁର୍ଭାଗ୍ୟବଶତଃ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।