କେଡେ ନିଷ୍ଠୁର ବିଧାତା: ସ୍ୱାମୀ ଫେରିବେ ବୋଲି ୧୦୦୦ଟଙ୍କା ଧାର କରି ପଠାଇଥିଲେ ପତ୍ନୀ…ହେଲେ ସ୍ୱାମୀ ତ ଫେରିନଥିଲେ ବରଂ ଫେରିଥିଲା ସ୍ୱାମୀର ମୃତଦେହ: ଔରଙ୍ଗାବାଦ ରେଳ ଦୁର୍ଘଟଣାର ଆବେଗଭରା କାହାଣୀ

1,393

କନକ ବ୍ୟୁରୋ: “ହେଇଟି ଶୁଣୁଛ, ତୁମେ ଭଲ ଅଛ ତ, ପାଖରେ ଖାଇବାକୁ କିଛି ନାହିଁ, ଯେତିକି ଟଙ୍କା ଥିଲା ସରିଯାଇଛି, କିଛି ଟଙ୍କା ପଠାଇଲେ ଘରକୁ ଫେରିବି” । ମଧ୍ୟପ୍ରଦେଶ ଉମରିଆର ବିରଗେନ୍ଦ୍ର ନିଜ ପତ୍ନୀଙ୍କୁ ଶେଷ ଥର ପାଇଁ ଫୋନରେ କିଛି ଏୟା କହିଥିଲେ । ମହାରଷ୍ଟ୍ରରେ କାମ କରୁଥିବା ନିଜ ସ୍ୱାମୀଙ୍କ ପାଖରୁ ଏଭଳି ଆକୁଳ ନିବେଦନଟିଏ ଶୁଣି ପତ୍ନୀ ପୁଷ୍ପା ଟଙ୍କା ବି ପଠାଇଥିଲେ । ତେବେ ସ୍ୱାମୀ ଘରକୁ ଫେରିନଥିଲେ, ବରଂ ଫେରିଥିଲା ସ୍ୱାମୀଙ୍କ ମୃତଦେହ । ଶୁକ୍ରବାର ସକାଳେ ମହାରାଷ୍ଟ୍ରର ଔରଙ୍ଗାବାଦ ଠାରେ ଘଟିଥିବା ରେଳ ଦୁର୍ଘଟଣାର ଏଭଳି ଏକ କାହାଣୀ ସାମ୍ନାକୁ ଆସିଛି ଯାହାକି ଜଣେ ପ୍ରବାସୀ ଶ୍ରମିକଙ୍କ ଆବେଗଭରା ଜୀବନକୁ ଚିତ୍ରଣ କରିଛି।

ମିଳିଥିବା ସୂଚନା ମୁତାବକ ଲକଡାଉନ ଯୋଗୁଁ ମହାରାଷ୍ଟ୍ରରେ ଶ୍ରମିକ ଭାବେ କାମ କରୁଥିବା ମଧ୍ୟପ୍ରଦେଶ ଉମରିଆର ବିରଗେନ୍ଦ୍ରଙ୍କ ପାଖରେ ଯେତିକି ଅର୍ଥ ଥିଲା ସବୁ ସରିଯାଇଥିଲା । ଲକଡାଉନ ଯୋଗୁଁ କାମ ଠପ ହୋଇଯାଇଥିବାରୁ ଠିକାଦାର ଦେଇନଥିଲା ଟଙ୍କା । ଦୀର୍ଘ ଦେଢ଼ ମାସ ଧରି କଷ୍ଟେମଷ୍ଟେ ଚଳିବାପରେ ଆଉ ଗଡ଼ିପାରିନଥିଲା ଅଜଣା ସହରରେ ଜୀବନର ଗାଡି । ପତ୍ନୀଙ୍କୁ ଫୋନ କରି କିଛି ଟଙ୍କା ମାଗିଥିଲେ । ଗାଁକୁ ଯିବା ପାଇଁ ବି ଟଙ୍କା ନଥିବା କହିବା ପରେ ପତ୍ନୀ ପୁଷ୍ପା ସ୍ଥାନୀୟ ସ୍ଵୟଂସହାୟକ ଗୋଷ୍ଠୀରୁ ହଜାରେ ଟଙ୍କା ଧାର ଆଣି ସ୍ୱାମୀଙ୍କୁ ନିୟୋଜିତ କରିଥିବା ଠିକାଦାରଙ୍କ ଆକାଉଣ୍ଟକୁ ପଠାଇଥିଲେ ।

ଠିକାଦାର ଜଣକ ୫୦୦ ଟଙ୍କା ବିରଗେନ୍ଦ୍ରଙ୍କୁ ଦେଇ ବଳକା ନିଜ ପାଖରେ ରଖିଦେଇଥିଲେ । ୫୦୦ ଟଙ୍କାକୁ ଧରି ଆଉ କିଛି ଶ୍ରମିକଙ୍କ ସହ ନିଜ ଘରକୁ ଫେରୁଥିଲେ । ଔରଙ୍ଗାବାଦ-ଜଲ୍‌ନା ରେଳ ଧାରଣା ଦେଇ ଭୁସାୱାଲ ପର୍ଯ୍ୟନ୍ତ ୩୬ କିଲୋମିଟର ଚାଲିବା ପରେ ଶ୍ରମିକମାନେ ଥକି ଯାଇଥିଲେ, ତେଣୁ ସେମାନେ ରେଳ ଟ୍ରାକ୍ ଉପରେ ବିଶ୍ରାମ ନେଇଥିଲେ । ବିରଗେନ୍ଦ୍ରଙ୍କ ସହ ୧୯ ଜଣ ଶ୍ରମିକ ଏତେ କ୍ଳାନ୍ତ ହୋଇଯାଇଥିଲେ ଯେ ସେମାନେ ଶୋଇପଡିଥିଲେ ଏବଂ ଶୁକ୍ରବାର ସକାଳ ପ୍ରାୟ ୫:୧୫ ସମୟରେ ଏକ ମାଲବାହୀ ଟ୍ରେନ ସେମାନଙ୍କ ଉପରେ ଚଢିଯାଇଥିଲା । ଏଥିରେ ବିରଗେନ୍ଦ୍ରଙ୍କ ଜୀବନ ମଧ୍ୟ ଚାଲିଯାଇଛି । ଆଉ ଗାଁରେ ପହଂଚିଛି ବିରଗେନ୍ଦ୍ରଙ୍କ ମୃତଦେହ । ଗାଁ ପିଲାର ଏଭଳି ଅବସ୍ଥା ଦେଖି ଏବେ ପୁରା ଗାଁ ଲୁହରେ ଭିଜୁଛି ।