ଫସିଗଲେ ବ୍ୟବସାୟୀ: ୧୪ ଲକ୍ଷରୁ ଅଧିକ ଟଙ୍କାର ଚୁନା ଲଗାଇଲେ ଠକ, ଡିପୋଜିଟ୍ ବେଳେ ଠିକଣା ବଦଳାଇଦେଲା ଏସବିଆଇ 

224

କନକ ବ୍ୟୁରୋ: ଶସ୍ତାରେ ଅମ୍ବୁଜା ସିମେଂଟ ପାଇବାର ଲୋଭ ଜଣେ ସିମେଂଟ ବ୍ୟବସାୟୀଙ୍କୁ ମହଙ୍ଗା ପଡିଛି । ବଜାର ଦର ଠାରୁ କମ ଦରରେ ସିମେଂଟ ଯୋଗାଇ ଦେବ କହି ଲକ୍ଷାଧିକ ଟଙ୍କାର ଚୁନା ଲଗାଇଛି ଠକ୍ । ଭୁବନେଶ୍ୱରର ଜଣେ ସିମେଂଟ ବ୍ୟବସାୟୀଙ୍କ ଠାରୁ ୧୪ଲକ୍ଷ ୫୮ ହଜାର ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଚନ୍ଦ୍ରଶେଖର ଥାନା ଓ ସାଇବର ସେଲରେ ବ୍ୟବସାୟୀ ପ୍ରକାଶଚନ୍ଦ୍ର ଡାଲମିଆ ଅପ୍ରେଲ ମାସରୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।

ଅଭିଯୋଗ ଅନୁସାରେ, ସୌରଭ ତ୍ରିପାଠୀ ନାମକ ବ୍ୟକ୍ତି ନିଜକୁ ଅମ୍ବୁଜା ସିମେଂଟ ଲିମିଟେଡର ଅଧିକାରୀ ଭାବେ ପରିଚୟ ଦେଇ, ଭୁବନେଶ୍ୱରର ସିମେଂଟ ବ୍ୟବସାୟୀ ପ୍ରକାଶ ଚନ୍ଦ୍ର ଡାଲମିଆଙ୍କ ସହ ଯୋଗାଯୋଗ କରିଥିଲେ । ବଜାର ଦର ଠାରୁ କମ ଦାମରେ ସିମେଂଟ ଯୋଗାଇ ଦେବେ ବୋଲି ଲୋଭନୀୟ ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବକୁ ଯାଂଚ କରିବା ପରେ ୫ହଜାର ସିମେଂଟ ବସ୍ତାର ଅର୍ଡର ଦେଇଥିଲେ ଡାଲମିଆଁ । ଯାହାର ମୂଲ୍ୟ ୧୪ ଲକ୍ଷ ୫୮ ହଜାର ଟଙ୍କା । ଏହି ଟଙ୍କାକୁ ବ୍ୟାଙ୍କ ଅଫ ମହାରାଷ୍ଟ୍ରକୁ ଯାଇ ପ୍ରକାଶ ଚନ୍ଦ୍ର ଡାଲମିଆଁ ଆରଟିଜିଏସ ମାଧ୍ୟମରେ ସୌରଭ ଦେଇଥିବା ଠିକଣାରେ ପଠାଇଥିଲେ ।

ହେଲେ ତିନି ଦିନ ପରେ ମଧ୍ୟ ଦେଇଥିବା ଅର୍ଡର ନମିଳିବାରୁ ସୌରଭଙ୍କୁ ଫୋନ କରିଥିଲେ ପ୍ରକାଶ ଡାଲମିଆଁ । ଫୋନରେ ସୌରଭ କହିଥିଲେ, ଏବେ ଅଫର ଚାଲିଛି, ଆପଣ ଯଦି ଆଉ ୫ ହଜାର ସିମେଂଟ ବସ୍ତା ଅର୍ଡର କରନ୍ତି, ତେବେ ବସ୍ତା ପିଛା ଦର ୧୦ରୁ ୧୫ ଟଙ୍କାକୁ କମ କରିଦେଇପାରିବେ । ଏହା ଶୁଣିବା ପରେ ପ୍ରକାଶ ଡାଲମିଆଁଙ୍କ ସନ୍ଦେହହୋଇଥିଲା । ତେଣୁ ସେ ବ୍ୟାଙ୍କ ଯାଇ ଯାଂଚ କରିବା ପରେ ଜଣାପଡିଲା, ସେ ଠକେଇର ଶିକାର ହୋଇସାରିଛନ୍ତି ।

ସେ ପଠାଇଥିବା ଟଙ୍କା ଅମ୍ବୁଜା ସିମେଂଟ ଲିମିଟେଡ ପାଖକୁ ନଯାଇ ଆଉ ଜଣଙ୍କ ବ୍ୟକ୍ତିଗତ ଆକାଉଂଟକୁ ଟଙ୍କା ଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରକାଶଚନ୍ଦ୍ର ଟଙ୍କା ପଠାଇବା ପାଇଁ ଯେଉଁ ଠିକଣା, ଆକାଉଂଟ, ଆଇଏଫସି କୋଡ୍ ଫର୍ମରେ ପୂରଣ କରିଥିଲେ, ସେହି ଠିକଣାରେ ଟଙ୍କା ଯାଇ ନାହିଁ । କେବଳ ଆକାଉଂଟ ନଂବର ସମାନ ରହିଥିବା ବେଳେ ଆଏଫସି କୋଡଠୁ ଆରମ୍ଭ କରି ସବୁ ବଦଳି ଯାଇଛି । ଏନେଇ ପ୍ରକାଶଚନ୍ଦ୍ର ଡାଲମିଆ ଆରବିଆଇର ଦ୍ୱାରସ୍ଥ ହୋଇଥିଲେ, ଜବାବ ଦେଇ ଆରବିଆଇ କହିଛି, କେବଳ ଆକାଉଂଟ ନଂବର ଦେଖି ଟଙ୍କା ପଠାଯାଇଥାଏ ।

ଏଥିରେ ବ୍ୟାଙ୍କର କୌଣସି ଭୁଲ ନାହିଁ । ତେବେ ପ୍ରଶ୍ନ ଉଠୁଛି ଯେଉଁଠି ଦସ୍ତଖତ ଭୁଲ ଥିଲେ, ଫର୍ମରେ ତାରିଖ ଏପଟସେପଟ ହେଲେ ଟଙ୍କା ଉଠାଣରେ ଅସୁବିଧା ହୁଏ । ହେଲେ ଲକ୍ଷ ଲକ୍ଷ ଟଙ୍କାର ଜମା ବେଳେ ଠିକଣାକୁ ଗୁରୁତ୍ୱ ନଦେବା ଘଟଣା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ।