କନକ ବ୍ୟୁରୋ: ତାତିଲେ ମତ୍ସ୍ୟଜିବୀ ,ଦାବି ପୂରଣ ନହେଲେ ସମୂହ କରିବେ ଭୋଟ୍ ବର୍ଜନ ।ଆମର ହକ୍ ଆମକୁ ନଦେଲେ ହେବ ଭୟଙ୍କର ଲଢେଇ । ଏଭଳି ଚରମ ଚେତାନବୀ ଶୁଣାଇଛନ୍ତି ଓଡିଶା ପାରମ୍ପରିକ ମତ୍ସ୍ୟ ଉନ୍ନୟନ ସଂଗଠନ ।

ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ପାରମ୍ପରିକ ମତ୍ସ୍ୟ ଉନ୍ନୟନ ସଂଗଠନର ଚରମ ନିଷ୍ପତି । ୬ ଦଫା ଦାବି ପୂରଣ ହେଲେ ଭୋଟ୍ ବର୍ଜନ କରିବେ ୧୪ ଲକ୍ଷ ମତ୍ସ୍ୟଜୀବୀ ପରିବାର । ନିର୍ବାଚନକୁ ଆଖି ଆଗରେ ରଖି ସରକାରଙ୍କୁ ଏଭଳି ଖୋଲା ଚ୍ୟାଲେଂଜ ଦେଇଛନ୍ତି ମତ୍ସ୍ୟଜୀବୀ । ଦେଶର ଅଧିକାଂଶ ସ୍ଥାନରେ ମତ୍ସ୍ୟଜୀବୀଙ୍କୁ ଡିଜେଲ ରିହାତି ମିଳୁଥିବା ବେଳେ ଓଡିଶାର ମତ୍ସ୍ୟଜିବୀଙ୍କୁ କାହିଁକି ନୁହେଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ମୁହାଣ ମୁହଁ ପୋତି ହେବା ଫଳରେ ନଦୀକୁ ଜୁଆର ପାଣି ଆସୁନାହିଁ । ଏଥିପାଇଁ ବିଭିନ୍ନ ପ୍ରଜାତିର ମାଛ ମଧ୍ୟ କମିଗଲେଣି । କମ୍ପାନୀରୁ ବାହାରୁଥିବା ବର୍ଜ୍ୟ ତୈଳ ପଦାର୍ଥକୁ ଉପଯୁକ୍ତ ଟ୍ରିଟମେଣ୍ଟ ନକରି ଛଡା ଯିବାରୁ ନଦୀ ଆଉ ସମୁଦ୍ର ପାଣି ଏବେ ପ୍ରଦୂଷିତ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ପରେ ବି କାହିଁକି ଅଣଦେଖା କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ମତ୍ସ୍ୟଜୀବୀ ।

ଗତମାସ ୯ ତାରିଖରେ ପାରାଦୀପ ନେହେରୁ ବଙ୍ଗଳାରେ ବିଭିନ୍ନ ମତ୍ସ୍ୟଜିବୀ ସଂଗଠନକୁ ନେଇ ଓଡିଶା ପାରମ୍ପରିକ ମତ୍ସ୍ୟ ଉନ୍ନୟନ ସଂଗଠନ ବୈଠକ କରିଥଲେ । ଭୁବନେଶ୍ୱର ଲୋଏର ପିଏମଜିରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମତ୍ସ୍ୟଜୀବୀ । ହେଲେ ସରକାରଙ୍କୁ ଦେଇଥିବା ୬ ଦଫା ଦାବି ଏପର୍ଯ୍ୟନ୍ତ ପୂରଣ ନହେବାରୁ ସେମାନେ ଭୋଟ୍ ବର୍ଜନର ଚେତାବନୀ ଦେଇଛନ୍ତି  ନିଜର ହକ୍ ପାଇଁ ଏଭଳି ନିଷ୍ପତି ନେଇଥିବା ମତ୍ସ୍ୟଜୀବୀଙ୍କ ସମସ୍ୟାର ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି ।