ଟନେଲ ଟ୍ରାଜେଡି: ବାଧା ଭିତରେ ବି କମିନି ଜୋସ୍, ମଉଳିନି ମନୋବଳ । ଥକି ନାହାନ୍ତି ଉଦ୍ଧାରକାରୀ ଦଳ । ସେମାନେ ଜିତିବେ, ଜୀବନ ଜିତିବ…

496

କନକ ବ୍ୟୁରୋ: ଦିନ ପରେ ଦିନ ବିତୁଛି । ଘଣ୍ଟା କଣ୍ଟାର ଟିକ୍ ଟିକ୍ ଶବ୍ଦ ସହ ତାଳ ଦେଇ ସମୟ ଗଡିଚାଲିଛି ଆଉ କ୍ୟାଲେଣ୍ଡରର ତାରିଖ ବି ତା ହିସାବରେ ବଦଳି ଚାଲିଛି । କିନ୍ତୁ ଯାହା ବଦଳୁନି ତାହା ହେଉଛି ସୁଡଙ୍ଗ ଭିତରର ସ୍ଥିତି । ଅନେକ ଉଦ୍ୟମ ହେଉଛି, ଅପରେସନ ‘ଟନେଲ’ ଚାଲିଛି, ଜୀବନ ପାଇଁ ଜିଜାନ୍ ଲଗାଇ ଦିଆହୋଇଛି । ହେଲେ ପରିସ୍ଥିତି ସୁଧୁରିବାର ନାଁ ହିଁ ନେଉନି । ସବୁଦିନ ସକାଳେ ନୂଆ ଜୋସ୍ ନୂଆ ଉତ୍ସାହ ନେଇ ଅପରେସନ ଆରମ୍ଭ ହେଉଛି କିନ୍ତୁ ସଞ୍ଜକୁ ସେ ଆଶା ମଉଳିଯାଉଛି । ବାରମ୍ବାର ସମସ୍ୟା ସାମ୍ନାରେ ଅସୁଥିବାରୁ ଉଦ୍ଧାରର ଆଶା ଧିରେଧିରେ ଲମ୍ବି ଲମ୍ବି ଯାଉଛି । ଆଉ ଅନ୍ଧାରୀ ଜୀବନରୁ ମୁକ୍ତି ପାଇ ଆଲୋକ ଦେଖିବାର ସେ ସମୟ ଉପନୀତ ହେବା ସମ୍ଭବ ହେଉନି । କିନ୍ତୁ ତଥାପି ପ୍ରଶାସନ ତରଫରୁ ସବୁ ବ୍ୟବସ୍ଥା ହେଉଛି । ଉଦ୍ଧାରକାରୀ ଦଳ ଭାଙ୍ଗି ନାହାନ୍ତି ମନୋବଳ । ସେମାନେ ଜିତିବେ, ଜୀବନ ଜିତିବ ଆଉ ସୁଦୀର୍ଘ ସୁଡଙ୍ଗର ଅନ୍ଧାର ଭିତରୁ ଜୀବନ ଉଦ୍ଧାର ହେବ । ଏଇ ପଣ ନେଇ ଥକୁନି ରେସ୍କୁ ଟିମର ପାଦ ଓ ହାତ ।

ତେବେ ଉତ୍ତରକାଶୀ ଟନେଲରେ ଫଶିଥିବା ଶ୍ରମିକମାନେ ଯେତେ ଶୀଘ୍ର ବାହାରକୁ ଆସିବେ ବୋଲି ଆଶା କରାଯାଉଥିଲା, ତାହା ବିଳମ୍ବ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଖନନ ସମୟରେ ବାରମ୍ବାର ଲୁହା ଆସୁଥିବାରୁ ମେସିନର ବ୍ଲେଡ ଭାଙ୍ଗିବା ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି । ତେବେ ପାହାଡର ଉପର ପଟୁ ସୁଡଙ୍ଗ କରି ଉଦ୍ଧାର ପାଇଁ ବିକଳ୍ପ ପନ୍ଥା ଆପଣାଯାଇଛି । ଆଉ ଉଦ୍ଧାରକାର୍ଯ୍ୟରେ ସହାୟତା ପାଇଁ ହାଇଦ୍ରାବାଦରୁ ଆସୁଛି ପ୍ଲାଜମା କଟର । ରବିବାର ସକାଳୁ ମେସିନ ଡ୍ରିଲିଂ ବଦଳରେ ମାନୁଆଲ ଡ୍ରିଲିଂ କରାଯିବ । ଆଉ ଏହା ସମୟ ସାପେକ୍ଷ ହେବା ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବିଳମ୍ବ ହେବାର ଆଶଙ୍କା କରାଯାଉଛି ।

ସେପଟେ ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟରେ ବାଧା ଭିତରେ ଭଲ ଖବର ସାମ୍ନାକୁ ଆସିଛି । ଟନେଲ ଭିତରେ ଥିବା ସବୁ ଶ୍ରମିକ ସୁସ୍ଥ ଅଛନ୍ତି । ଶ୍ରମିକଙ୍କ ପାଖକୁ ଠିକ ସମୟରେ ଖାଦ୍ୟପାନୀୟ ପଠାଯାଉଛି । ଶ୍ରମିକଙ୍କ ସହ ଲଗାତାର ଯୋଗାଯୋଗରେ ଥିବା ନେଇ କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।

ଚଳିତ ମାସ ନଭେମ୍ବର ୧୨ ତାରିଖରେ ସୁଡ଼ଙ୍ଗ କାମ କରୁଥିବାବେଳେ ମାଟି ଅତଡ଼ା ଓ ପଥର ପଡ଼ି ଶ୍ରମିକ ମାନେ ଟନେଲ ଭିତରେ ଫସିରହିଥିଲେ । ଉତ୍ତରକାଶୀରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ସିଲକ୍ୟାରା ସୁଡ଼ଙ୍ଗରେ ଏହି ଖନନ ଚାଲିଥିଲା । ଟନେଲ ନିର୍ମାଣ କାର୍ଯ୍ୟରେ ୮ଟି ରାଜ୍ୟର ୪୧ ଜଣ ଶ୍ରମିକ ଫସିରହିଛନ୍ତି । ଯେଉଁଥିରେ ଝାରଖଣ୍ଡର ସର୍ବାଧିକ ୧୫ଜଣ, ଉତ୍ତରପ୍ରଦେଶର ୮ଜଣ, ଓଡ଼ିଶାର ୫ଜଣ, ବିହାରର ୫ଜଣ, ଆସାମର ୨ଜଣ, ଉତ୍ତରାଖଣ୍ଡର ୨ଜଣ ଓ ପଶ୍ଚିମବଙ୍ଗର ୩ଜଣ, ହିମାଚଳ ପ୍ରଦେଶର ଜଣେ ଶ୍ରମିକ ଅଛନ୍ତି । ଶ୍ରମିକମାନେ ଭଲରେ ଭଲରେ ଉଦ୍ଧାର ହୋଇଯାଆନ୍ତୁ ଆଉ ସେମାନେ ସେମାନଙ୍କ ଘରକୁ ଫେରନ୍ତୁ । ଏହାହିଁ ପ୍ରାର୍ଥନା କରୁଛନ୍ତି ଦେଶବାସୀ ।