ସଂକ୍ରମଣ ବଢିବାରୁ କର୍ଣ୍ଣାଟକରେ ଜାରି ହେଲା ଲକଡାଉନ୍ । ୧୪ ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ।

425

କନକ ବ୍ୟୁରୋ: ଦେଶରେ ବଢୁଥିବା ସଂକ୍ରମଣ ଭିତରେ କର୍ଣ୍ଣାଟକରୁ ଆସିଛି ବଡ ଖବର ।  ସଂକ୍ରମଣକୁ ଆଖି ଆଗରେ ରଖି କର୍ଣ୍ଣାଟକ ମୁଖମନ୍ତ୍ରୀ ବିଏସ୍ ୟେଦୁରପ୍ପା କର୍ଣ୍ଣାଟକରେ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତିରୁ ପୂରା କର୍ଣ୍ଣାଟକରେ ଏହି ଲକଡାଉନ୍ ଆରମ୍ଭ ହୋଇ ଆଗାମୀ ୧୪ ଦିନ ଯାଏଁ ବଳବତ୍ତର ରହିବ ବୋଲି ସୂଚନା ମିଳିଛି ।

ଲକଡାଉନ୍ ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ମିଳିଛି । ଜରୁରୀକାଳୀନ ଜିନିଷପତ୍ର ବିକ୍ରି କରୁଥିବା ଦୋକାନଗୁଡିକ ଦିନରେ ମାତ୍ର ୪ ଘଂଟା ପାଇଁ ଖୋଲାରହିବ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ କହିବା କଥା, ମେ ପହିଲାରୁ ରାଜ୍ୟରେ ସାବାଳକ ଲୋକଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମଧ୍ୟ ଟିକା ଦିଆଯାଉଛି । ତେଣୁ ଏପରି ସ୍ଥିତିରେ ସଂକ୍ରମଣରେ ବ୍ରେକ୍ ଦେବା ପାଇଁ ଲକଡାଉନ୍ ହିଁ ଏକମାତ୍ର ଉପାୟ ।

କର୍ଣ୍ଣାଟକର ବେଙ୍ଗାଲୁର ଜିଲ୍ଲାରେ ସଂକ୍ରମଣ ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଗତ ଶନିବାର ସର୍ବାଧିକ ୧୭ ହଜାର ୩୪୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି କର୍ଣ୍ଣାଟକରେ ଦିନକରେ ୨୯ ହଜାର ୪୩୮ ମାମଲା ଚିହ୍ନଟ ଓ ୨୦୮ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୩୪ ହଜାରକୁ ଛୁଇଁଛି । ସେଥି ମଧ୍ୟରୁ କେବଳ ବାଙ୍ଗୋଲୋରର ଏକ୍ଟିଭ ମାମଲା ରହିଛି ୧.୬ ଲକ୍ଷ । ତେଣୁ ସ୍ଥିତି ବିଗୁଡିଥିବା ଦେଖି ରାଜ୍ୟ ସରକାର ସାରା ରାଜ୍ୟରେ ୧୪ ଦିନିଆ କର୍ଫ୍ୟୁ କଟକଣା ଜାରି କରିଛନ୍ତି । ଏହାପୂର୍ବରୁ ମଧ୍ୟ ଦେଶର ଅନ୍ୟ କିଛି ରାଜ୍ୟରେ ସଂକ୍ରମଣ ବଢୁଥିବା ଦେଖି ଲକଡାଉନ୍ ଓ ରାତ୍ରିକର୍ଫ୍ୟୁ ଭଳି କଟକଣା ଲାଗୁ ହୋଇସାରିଛି । ଆସନ୍ତାକାଲି ଦିଲ୍ଲୀ ସରକାର ମଧ୍ୟ ସେଠାରେ ଲକଡାଉନ୍ ଅବଧିକୁ ବୃଦ୍ଧି କରିସାରିଛନ୍ତି । ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମଣ ବଢୁଥିବାରୁ ସେଠାରେ ନିୟମ କଡାକଡି କରାଯାଇଛି ।