ପୁଣି ଫେରିଲା ଲକଡାଉନ : ମେ ୫ ରୁ ୧୯ ତାରିଖ ଯାଏ ତାଲାବନ୍ଦ; ଆବଶ୍ୟକ ସାମଗ୍ରୀ ଯୋଗାଡ ପାଇଁ ଦୁଇ ଦିନ ଦେଲେ ସରକାର

100

କନକ ବ୍ୟୁରୋ : ଗୋଟିଏ ପଟେ ୫ ରାଜ୍ୟରେ ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା ଚାଲିଥିଲା, ଆଉ ଗୋଟିଏ ପଟେ, କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଓଡିଶା ସରକାର ପଦକ୍ଷେପ ଘୋଷଣା କରିଥିଲେ । ସଂକ୍ରମଣ ବଢ଼ୁଥିବାରୁ ଚେନ ଭାଙ୍ଗିବା ପାଇଁ ପୁଣି ଥରେ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମେ ୫ ତାରିଖ ସକାଳୁ ମେ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ହେବ ଲକଡାଉନ କଟକଣା ।  ତେବେ ଗତବର୍ଷ ଭଳି ପରିସ୍ଥିତି ଯେଭଳି ନ ଉପୁଜେ ସେଥିପାଇଁ ଲୋକଙ୍କୁ ଦୁଇଦିନ ସମୟ  ଦିଆଯାଇଛି ।

ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ ସମୟରେ କଣ ଖୋଲା ରହିବ ଆସନ୍ତୁ ତା ଉପରେ ନଜର ପକାଇବା । ଲକଡାଉନ ସମୟରେ ହସ୍ପିଟାଲ, ନର୍ସିଂହୋମ, ଟେଲିମେଡିସିନ ସେବା ଜାରି ରହିବ । ସମସ୍ତ ପ୍ରକାର ଔଷଧ ଦୋକାନ ଖୋଲା ରହିବ । ସୋମବାରରୁ ଶୁକ୍ରବାର ଯାଏଁ ସକାଳ ୬ଟାରୁ ଦିନ ୧୨ଟା ଯାଏଁ କ୍ଷୀର ଓ ଆମିଷ ଦୋକାନ ଖୋଲିପାରିବେ । ଗ୍ୟାରେଜ ଓ ଗାଡି ମରାମତି ଦୋକାନ ମଧ୍ୟ ଖୋଲା ରହିବ । ପେଟ୍ରୋଲ ପମ୍ପ, ରୋଷେଇ ଗ୍ୟାସ, ଇଲେକ୍ଟ୍ରିସିଆନ, ମଟର ମେକାନିିକ, ପାଇପ ମିସ୍ତ୍ରୀ ସେବା ଜାରି ରହିବ । ସେହିପରି ୧୪ ଦିନିଆ ଲକଡାଉନ୍ ସମୟରେ ଜାରି ରହିବ ଅନଲାଇନ ଓ ହୋମଡେଲିଭରି ସେବା । ହୋଟେଲ, ରେଷ୍ଟୁରାଂଟ, ଢାବାରୁ ପାର୍ସଲ ନେବା ପାଇଁ ଅନୁମତି ମିଳିଛି । ବ୍ୟାଙ୍କ, ଏଟିଏମ ସେବା ଚାଲୁ ରହିବ । କଟକଣାମୁକ୍ତ ରହିବ ପରିବହନ ସେବା । ରାଜ୍ୟ ଭିତରେ ଓ ବାହାରେ ଅବାଧରେ ଚଳାଚଳ କରିପାରିବ ଆମ୍ବୁଲାନ୍ସ । କରୋନା ଟିକାକରଣ ଜାରି ରହିବ ଓ କରୋନା ଟେଷ୍ଟିଂକୁ ଅନୁମତି ଦିଆଯାଇଛି ।

୧୪ ଦିନିଆ ଲକଡାଉନରେ କଣ ବନ୍ଦ ରହିବ । ଯାତ୍ରୀବାହି ବସ ଚଳାଚଳ, ଅଟୋ ରିକ୍ସା ଓ କ୍ୟାବ ଚଳାଚଳ ଉପରେ କଟକଣା ଲାଗିଛି । ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଂଟର ବନ୍ଦ ରହିବ । ସିନେମା ହଲ, ମଲ, ଜିମ୍, ସୁଇମିଂପୁଲ, ପାର୍କ ଓ ବାର ବି ବନ୍ଦ ରହିବ । ସେହିପରି ଯାତ୍ରା, ଅପେରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ସ୍ପା, ସେଲୁନ, ବ୍ୟୁଟି ପାର୍ଲର ବନ୍ଦ ରହିବ । ସାପ୍ତାହିକ ଓ ଦୈନିକ ହାଟ ଚାଲିପାରିବ ନାହିଁ । ମନ୍ଦିରକୁ ଯାଇ ଠାକୁରଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ଲାଗିଛି । ସମସ୍ତ ପ୍ରକାର ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶ ମଧ୍ୟ ୧୪ ଦିନିଆ ଲକଡାଉନ ସମୟରେ ବନ୍ଦ ରହିବ ।