ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ : ଯାତ୍ରା ପୂର୍ବ ୧୪ ଦିନର ବିବରଣୀ ଦେବା ବାଧ୍ୟତାମୂଳକ

ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବାକୁ ପଡିବ ଆରଟିପିସିଆର ନେଗେଟିଭ୍ ରିପୋର୍ଟ; ଡିସେମ୍ବର ୧ରୁ ହେବ ଲାଗୁ

96

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନାର ଓମିକ୍ରନ ଭାରିଆଣ୍ଟ ଆତଙ୍କ ଖେଳାଇ ଦେଇଥିବା ବେଳେ ବିଦେଶ ଫେରନ୍ତାଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଡିସେମ୍ବର ପହିଲାରୁ ଏହି ଗାଇଡଲାଇନ ଲାଗୁ ହେବ । ସଂଶୋଧିତ ଗାଇଡଲାଇନ ଅନୁସାରେ, ଯାତ୍ରା ପୂର୍ବରୁ ୧୪ ଦିନର ଯାତ୍ରା ସମ୍ପର୍କିତ ବିବରଣୀ ଦେବାକୁ ପଡିବ । ସେହିଭଳି ଏୟାର ସୁବିଧା ପୋର୍ଟାଲରେ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଅପଲୋଡ କରିବାକୁ ପଡିବ । ଏହି ରିପୋର୍ଟ ଯାତ୍ରାର ୭୨ ଘଂଟା ପୂର୍ବରୁ ହୋଇଥିବ । ବିଦେଶରୁ ଫେରୁଥିବା ସମସ୍ତ ଯାତ୍ରୀଙ୍କୁ ସେଲ୍ଫ ଡିକ୍ଲାରେସନ୍ ଫର୍ମ ପୂରଣ କରିବା ସହ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଅପଲୋଡ୍ କରିବାକୁ ପଡିବ ।

ଯଦି ‘ଆଟ୍ ରିସ୍କ’ ବା ଓମିକ୍ରନ ପ୍ରଭାବିତ ଦେଶରୁ ଆସୁଥିବେ, ତେବେ ଫେରିବା ମାତ୍ରେ ଆରଟି-ପିସିଆର୍ ଟେଷ୍ଟ କରାଯିବ । ଯଦି ନେଗେଟିଭ୍ ରିପୋର୍ଟ ଆସେ, ତେବେ ୭ ଦିନିଆ ଘରୋଇ ସଙ୍ଗରୋଧରେ ରହିବେ । ଅଷ୍ଟମ ଦିନ ପୁଣି କରୋନା ପରୀକ୍ଷା କରାଯିବ । ନେଗେଟିଭ୍ ଆସିଲେ ଆଉ ୭ ଦିନ ନିଜ ସ୍ୱାସ୍ଥ୍ୟ ନେଇ ନିଜେ ଅନୁଧ୍ୟାନ କରିବେ । ପଜିଟିଭ୍ ଆସିଲେ ଜେନମ୍ ସିକ୍ୟୁଏନ୍ସିଂ ପାଇଁ ନମୁନା ପଠାଯିବ । ସେହିପରି ପ୍ରଭାବିତ ଦେଶରୁ ଆସିଥିବା ଯାତ୍ରୀଙ୍କ ବିମାନବନ୍ଦରରେ ପଜିଟିଭ୍ ହେଲେ ନମୁନା ଜେନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଯିବ । ସେମାନଙ୍କୁ ପ୍ରୋଟୋକଲ ଅନୁସାରେ ଚିକିତ୍ସା କରାଯିବ । ସରକାରୀ ବା ସ୍ୱତନ୍ତ୍ର ସଙ୍ଗରୋଧ ସେଂଟରରେ ରଖାଯିବ ।

ଜେନମ୍ ସିକ୍ୟୁଏନ୍ସିଂରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେଲେ ସଙ୍ଗରୋଧକୁ କଡ଼ାକଡ଼ି କରାଯାଇ ଚିକିତ୍ସା କରାଯିବ । କରୋନା ନେଗେଟିଭ୍ ହେବା ପରେ ଡିସଚାର୍ଜ କରାଯିବ । ତେବେ ଯେଉଁମାନେ ଓମିକ୍ରନ ପ୍ରଭାବିତ ଦେଶରୁ ଆସିନଥିବେ, ସେମାନେ ବିମାନବନ୍ଦରରେ ପହଁଚିବା ପରେ ୫ ପ୍ରତିଶତ ଯାତ୍ରୀଙ୍କ ଆରଟି-ପିସିଆର୍ ଟେଷ୍ଟ କରାଯିବ । ଯଦି ନେଗେଟିଭ୍ ଆସେ ୧୪ ଦିନିଆ ନିଜ ସ୍ୱାସ୍ଥ୍ୟକୁ ନିରୀକ୍ଷଣ କରିବେ । ଯଦି ରିପୋର୍ଟ ପଜିଟିଭ୍ ଆସେ ଜେନମ୍ ସିକ୍ୟୁଏନ୍ସିଂ ପାଇଁ ନମୁନା ପଠାଯିବ । ପ୍ରୋଟୋକଲ ଅନୁସାରେ ଚିକିତ୍ସା କରାଯିବ ।

ମହାମାରୀ ନେଇ କୌଣସି ଭୁଲ୍‌ ଖବର ପ୍ରସାରଣ ରୋକିବା ପାଇଁ ରାଜ୍ୟ ସରକାର ନିୟମିତ ବ୍ୟବଧାନରେ ସାମ୍ବାଦିକ ସମ୍ମିଳନୀ କରି ଲୋକମାନଙ୍କ ନିକଟରେ ପ୍ରମାଣ ଭିତ୍ତିକ ତଥ୍ୟ ରଖିବାପାଇଁ ଭୂଷଣ କହିଛନ୍ତି। ଲୋକମାନଙ୍କ ମନରେ ଯେମିତି କୌଣସି ଭୟ ନରହେ ସେନେଇ ନିଶ୍ଚିତ ହେବାକୁ ପଡ଼ିବ। ସେହିପରି କରୋନା ନେଇ କେଉଁ ସୁରକ୍ଷା ପଦକ୍ଷେପ ଗ୍ରହଣ ‌ହୋଇଛି ସେନେଇ ସମସ୍ତେ ଅବଗତ ହେବା ଉଚିତ୍‌ ବୋଲି ସରକାର କହିଛନ୍ତି। ବ୍ରି‌ଟେନ୍‌, ଜର୍ମାନୀ, ଇଟାଲି, ବେଲଜିୟମ, ଅଷ୍ଟ୍ରିଆ, ବୋସ୍ତୱାନା, ଇସ୍ରାଏଲ ଏବଂ ହଂକଂରେ ‘ଓମିକ୍ରନ୍‌’ ପ୍ରଜାତି ଚିହ୍ନଟ ହୋଇଛି ।