ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନରେ କିଛି ଅଜ୍ଞାତ ବନ୍ଧୁକଧାରୀ ରାସ୍ତାରେ ଯାଉଥିବା ଏକ ବସରୁ କିଛି ଯାତ୍ରୀଙ୍କୁ ଓହ୍ଲାଇବା ପରେ ପ୍ରାୟ ୧୪ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ତେବେ ଏହି ଅଜ୍ଞାତ ବନ୍ଧୁକଧାରୀ କିଏ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ମିଳିଥିବା ସୂଚନା ମୁତାବିକ, ସେନା ପୋଷାକ ପିନ୍ଧିଥିବା ପ୍ରାୟ ୧୫ରୁ ୨୦ ଅଜ୍ଞାତ ବନ୍ଧୁକଧାରୀ କରାଚୀରୁ ଗ୍ୱାଦର ମଧ୍ୟରେ ଚାଲୁଥିବା ୫ରୁ ୬ ବସକୁ ଅଟକାଇଥିଲେ । ତେବେ ବେଲୁଚିସ୍ତାନର ଓରମାରାର ରାଜପଥରେ ଯାଉଥିବା ଏକ ବସକୁ ଅଟକାଇବା ସହ ସମସ୍ତ ଯାତ୍ରୀଙ୍କର ପରିଚୟ ପତ୍ର ଯାଞ୍ଚ କରିଥିଲେ । ଆଉ ଏମାନଙ୍କ ମଧ୍ୟରୁ ୧୬ ଜଣଙ୍କୁ ତଳକୁ ଓହ୍ଲାଇ ଆଣିଥିଲେ ।

Advertisment

publive-imageପାକିସ୍ତାନ ଗଣମାଧ୍ୟମ ଡନର ସୂଚନା ଅନୁଯାୟୀ, ଅଜ୍ଞାତ ବନ୍ଧୁକଧାରୀ ପ୍ରାୟ ୧୪ ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଦୁଇ ଜଣ ଖସି ଯିବାରେ ସକ୍ଷମ ହୋଇଥିଲେ । ପରେ ପାଖରେ ଥିବା ଏକ ପୋଲିସ ଥାନାରେ ପହଞ୍ଚିବା ସହ ନିଜର ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆକ୍ରମଣ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଏପରିକି ହତ୍ୟା ପଛର କାରଣ ଓ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ଏଯାଏଁ ପରିଚୟ ମିଳିପାରିନାହିଁ । ପାକିସ୍ତାନର ଏହି ପ୍ରାନ୍ତରେ ସବୁବେଳେ ଅଶାନ୍ତି ଲାଗି ରହୁଥିବା ବେଳେ ଏଭଳି ଘଟଣା ସ୍ଥାନୀୟ ବାସୀଙ୍କ ମନରେ ଛନକା ପୂରାଇଛି ।