ଆସାମ ତିନସୁକିଆ ଜିଲ୍ଲାର ଗ୍ୟାସ ପାଇପଲାଇନରେ ଭୟଙ୍କର ନିଆଁ : ଲିଭାଇବାକୁ ଏନଡିଆରଏଫ ଟିମର କସରତ, ବ୍ୟାପକ କ୍ଷୟକ୍ଷତି ଅନୁମାନ

1,218

କନକ ବ୍ୟୁରୋ : ଆସାମ ତିନସୁକିଆ ଜିଲ୍ଲାର ଭୟଙ୍କର ଅଗ୍ନିକାଣ୍ଡ । ଗ୍ୟାସ ପାଇପଲାଇନରେ କୌଣସି କାରଣରୁ ନିଆଁ ଲାଗିବା ପରେ ଏହା ଭୟଙ୍କର ଭାବେ ଜଳିବାରେ ଲାଗିଛି । ଏହାର ପ୍ରଭାବରେ ନିଆଁ ଆଖପାଖ ଅଂଚଳକୁ ମଧ୍ୟ ବ୍ୟାପି ଚାଲିଛି । ତିନିସୁକିଆ ଜିଲ୍ଲାର ବାଘଜାନ୍ ଅଂଚଳରେ ଏହି ଗ୍ୟାସ ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ କରିବାକୁ ଏନଡିଆରଏଫ ଟିମ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଟିମ୍ ଉଦ୍ୟମ ଜାରି ରଖିଛି । ଏହି ଗ୍ୟାସ ଅଗ୍ନିକାଣ୍ଡ କାରଣରୁ ବ୍ୟାପକ କ୍ଷୟକ୍ଷତି ଅନୁମାନ କରାଯାଉଛି ।

ଅଏଲ୍ ଇଣ୍ଡିଆ ଲିମିଟେଡ୍‌ର ମୁଖପାତ୍ର ତ୍ରିଦିବ ହଜାରିକାଙ୍କ କହିବାନୁଯାୟୀ, ନିଆଁ ଲିଭାଇ ଅଭିଯାନ ଶେଷ କରାଯିବାକୁ ଆହୁରି ଚାରି ସପ୍ତାହ ଲାଗିବ । ଘଟଣାସ୍ଥଳରେ ଅନ୍ୟୂନ ୧୫ଟି ଦମକଳ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ୫୦ଟି ଘର ଓ ଅନେକ ଗଛବୃଚ୍ଛ ପୋଡ଼ିଯିବା ସହ ଜଳଚର ଅଞ୍ଚଳ ନଷ୍ଟ ହୋଇଛି । ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଜିଲ୍ଲା ପ୍ରଶାସନ ଆଖପାଖ ଗ୍ରାମଗୁଡ଼ିକରେ ଥିବା ୧, ୬୧୦ ପରିବାରର ପ୍ରାୟ ୩୦୦୦ ଲୋକଙ୍କୁ ରିଲିଫ୍‌ କ୍ୟାମ୍ପକୁ ସ୍ଥାନାନ୍ତର କରିଛି।