କାଲି ବିଧାନସଭାର ମୌସୁମୀ ଅଧିବେଶନ: ଶନିବାର ଦିନ ୭୫୭ ନମୁନାରୁ ୧୩୬ଟି ପଜିଟିଭ୍ ଚିହ୍ନଟ ହେବା ପରେ ବଢ଼ିଲା କରୋନା ଭୟ; ଆଜି ବି ହେବ ବାକି ଥିବା ବିଧାୟକ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ

ବିଶୋଧନ ହେବ ବିଧାନସଭା ପରିସର

81

କନକ ବ୍ୟୁରୋ: ଆସନ୍ତାକାଲି ବିଧାନସଭା ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେ କରୋନା ଭୟ ବଢି ଯାଇଛି । ଶନିବାର ଦିନ ବାଚସ୍ପତି, ବିଧାୟକ, କର୍ମଚାରୀ ଓ ବିଧାନସଭା ଅଧିବେଶନ ରିପୋର୍ଟିଂ କରିବାକୁ ଥିବା ସାମ୍ବାଦିକଙ୍କ କରୋନା ପରୀକ୍ଷା କରାଯାଇଥିଲା । ୭୫୭ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିବା ବେଳେ ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଧାୟକ ଦେବୀ ମିଶ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋଭିଡ ପରୀକ୍ଷାରେ ଦୁଇ ଜଣ ବିଧାୟକ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୪୦ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୯ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି । ପୂର୍ବରୁ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ କରୋନା ପଜିଟିଭ୍ ଥିଲା । ଏବେ ତାଙ୍କର ପୁଣି ଥରେ ପଜିଟିଭ୍ ଆସିଛି । ରବିବାର ଦିନ ଧରି ୭୦ ଜଣ ବିଧାୟକଙ୍କ ସମେତ ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କୁ ମିଶାଇ ମୋଟ ୨୫୨ ଜଣଙ୍କର ଆରଟି-ପିସିଆର୍ କୋଭିଡ୍ ଟେଷ୍ଟ କରାଯାଇଛି ।

ଆଜି ବାକି ଥିବା ସମସ୍ତ ବିଧାୟକ ଓ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବ । ଯେଉଁମାନେ ପଜିଟିଭ୍ ଥିବେ, ସେମାନେ ବିଧାନସଭା ଆସିପାରିବେ ନାହିଁ । ଆଜି ବିଧାନସଭା ପରିସରକୁ ମଧ୍ୟ ଭଲ ଭାବେ ବିଶୋଧନ କରାଯିବ । କୋଭିଡ୍ କାଳରେ ଅଧିବେଶନ ପାଇଁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ସଂସଦ ଅଧିବେଶନ ଭଳି ବିଧାନସଭା ସମୟକୁ କାଟଛାଂଟ କରାଯାଇଛି । ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସର ବିଧାୟକମାନେ ଜିଲ୍ଲା ମହକୁମାରେ ଭିଡିଓ କନଫରେନ୍ସିଂରେ ରହି ଅଧିବେଶନରେ ଯୋଗ ଦେଇପାରିବେ ।