୧୩୧ଟି ଜାଲ୍ ଆକାଉଂଟ କରି ୧ କୋଟି ୩୧ ଲକ୍ଷ ଟଙ୍କା ଚଳୁ : ଲୋନ୍ ଦେବା ବାହାନାରେ ବ୍ୟାଙ୍କ ମ୍ୟାନେଜର ଓ ସହଯୋଗୀ କର୍ମଚାରୀଙ୍କ ଜାଲିଆତି; ୮ ବର୍ଷ ପରେ ଦୋଷୀ ସାବ୍ୟସ୍ତ

୧୪ ବର୍ଷ ଜେଲ ସହ ସମସ୍ତଙ୍କୁ ୨୭ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା

150

କନକ ବ୍ୟୁରୋ : ୧୩୧ଟି ଜାଲି ଆକାଉଂଟ, ଲୋନ୍ ଦେବା ବାହାନାରେ ୧ କୋଟି ୩୧ ଲକ୍ଷ ଟଙ୍କା ଚଳୁ । ଏହି ବ୍ୟାଙ୍କ୍ ଜାଲିଆତି ନିଜେ କରିଥିଲେ ବ୍ୟାଙ୍କ ମ୍ୟାନେଜର ଓ ତାଙ୍କର ସହଯୋଗୀ କର୍ମଚାରୀ । ଜାଲିଆତିର ୮ ବର୍ଷ ପରେ ଏ ନେଇ ତକ୍ରାଳୀନ ବ୍ୟାଙ୍କ ମ୍ୟାନେଜର ସମେତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବାରିପଦା ଏସଡିଜେଏମ୍ କୋର୍ଟ । ୧୪ ବର୍ଷ ଜେଲ ସହ ପ୍ରତ୍ୟେକଙ୍କୁ ୨୭ ଲକ୍ଷ ଟଙ୍କା ଫାଇନ୍ କରିଛନ୍ତି କୋର୍ଟ । ୨୦୧୨ ମସିହା ମେ’ ମାସରୁ ୨୦୧୩ ମାର୍ଚ୍ଚ ମାସରେ ଏହି ବ୍ୟାଙ୍କ ଜାଲିଆତି ହୋଇଥିଲା ।

ବ୍ୟାଙ୍କ ଅଫ୍ ଇଣ୍ଡିଆର ମୟୁରଭଂଜ ଝାରପୋଖରିଆ ଶାଖାର ତତ୍କାଳିନ ମ୍ୟାନେଜର ଗିରିଜା ଶଙ୍କର ମିଶ୍ର ଓ ତାଙ୍କର ୪ ଜଣ ସହଯୋଗୀ ୧୩୧ଟି ମିଛ ଆକାଉଂଟ କରି ପ୍ରତି ଆକାଉଂଟରେ ୧ ଲକ୍ଷ ଟଙ୍କା ଲେଖାଏଁ ଲୋନ୍ ଦେଇଥିଲେ । ଏପରି କରି ମୋଟ ୧ କୋଟି ୩୧ ଲକ୍ଷ ଟଙ୍କା ଚଳୁ କରି ଦେଇଥିବା ଅଭିଯୋଗ ହୋଇଥିଲା । ୨୦୧୪ରେ ଏ ନେଇ ସେତେବେଳର ବ୍ୟାଙ୍କ ମ୍ୟାନେଜର ସୀତାକାନ୍ତ ମହାନ୍ତି, କ୍ରାଇମ ବ୍ରଂଚର ଅର୍ଥନୈତିକ ଅପରାଧ ଶାଖାରେ ଲିଖିତ ଅଭିଯୋଗ କରିଥିଲେ ।

ଏହାପରେ ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା । ମାମଲାର ବିଚାର କରି ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବାରିପଦା କୋର୍ଟ । ୧୪ ବର୍ଷ ଜେଲ ଓ ୨୭ ଲକ୍ଷ ଜରିମାନା ଆଦାୟ ପାଇଁ ରାୟ ଶୁଣାଇଛନ୍ତି ବାରିପଦା କୋର୍ଟ ।