ଶ୍ରୀଲଙ୍କାରେ ଦୁର୍ବିସହ ହେଉଛି ଜନଜୀବନ: ଚିକେନ କେଜି ୧୩ଶହ, ଅଣ୍ଡା ଗୋଟାକୁ ୫୦ଟଙ୍କା

295

କନକ ବ୍ୟୁରୋ: ସମୟ ଗଢୁଛି କିନ୍ତୁ ବଦଳୁନି ଶ୍ରୀଲଙ୍କାର ଆର୍ଥିକ ସ୍ଥିତି । ଦିନକୁ ଦିନ ଦୁର୍ବିସହ ହେଲାଣି ଦେଶର ପରିସ୍ଥିତି । ଖାଦ୍ୟଭାବଠୁ ନେଇ ଅତ୍ୟାବଶକୀୟ ଜିନିଷର ଘୋର ଅଭାବ ଭିତରେ ଶ୍ରୀଲଙ୍କାବାସୀଙ୍କ ଦିନ ବିତୁଛି । ଶ୍ରୀଲଙ୍କାର ବିପଦର ବନ୍ଧୁ ସାଜି ଭାରତ ସାହାଯ୍ୟ ଜାରି ରଖିଥିବାବେଳେ ଏବେ ଆଗେଇ ଆସିଛି ଅଷ୍ଟ୍ରେଲିଆ ।୧୦୦କୋଟି ଟଙ୍କାର ଆର୍ଥିକ ସହାୟତା ଶ୍ରୀଲଙ୍କାକୁ ଦେଇଛି ଅଷ୍ଟ୍ରେଲିଆ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ୩କୋଟି ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କା ବର୍ତମାନ ସବୁଠୁ ବଡ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଶ୍ରୀଲଙ୍କାରେ ମୁଦ୍ରାସ୍ପିତି ପ୍ରାୟ ୩୬ ପ୍ରତିଶତ ବୃଦ୍ଧି ପାଇଛି । ତେଣୁ ଜରୁରୀ ଜିନିଷ ଗୁଡିକର ଦାମ ଆକାଶ ଛୁଆଁ ହେବାରେ ଲାଗିଛି । ଆର୍ଥିକ ସଙ୍କଟ ଆରମ୍ଭରେ ଏଠାରେ ଚିକେନ କିିଲୋ ପ୍ରତି ୪୫୦ଟଙ୍କା ରହିଥିବାବେଳେ ଏବେ ଏହା ୧୩ଶହ ଟଙ୍କାରେ ପହଁଚିଛି । ପ୍ରତି ଅଣ୍ଡାର ଦାମ ୫୦ଟଙ୍କା ରହିଛି । ଚାଉଳ କିଲୋପ୍ରତି ୨୫୦ଟଙ୍କାରେ ବିକ୍ରି ହେଉଛି ।

ଘୋର ଖାଦ୍ୟ ସଙ୍କଟ ଭିତରେ ଦେଶବାସୀଙ୍କ ଆବଶକୀୟ ତଥା ଯଥେଷ୍ଟ ଖାଦ୍ୟ ମିଳିପାରୁନି । ଏହା ପ୍ରଭାବରେ ଦେଶରେ କୁପୋଷଣ ସମସ୍ୟା ଦେଖାଦେବା ସହ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା କ୍ରମଶ ବୃଦ୍ଧି ପାଉଛି ।

ଆର୍ଥିକ ସଙ୍କଟ ଭିତରେ ଇନ୍ଧନ ମିଳିବା କାଠିକର ପାଠ ହୋଇଛି । ସ୍ଥିତିକୁ ଦେଖି ସରକାର ୧୫ଦିନ ପାଇଁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଫିସ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ଦେଶରେ ବିଜୁଳି ସଙ୍କଟ ଦେଖାଯିବା ପରେ ଦିନକୁ ୧୫ରୁ ୧୮ ଘଂଟାର ବିଜୁଳି କାଟ ହେଉଛି ।

ଶ୍ରୀଲଙ୍କାର ନୂଆ ସରକାର ଦେଶର ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି । ସେପଟେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ବିରୋଧରେ ୭୬ଦିନରେ ପହଁଚିଲାଣି ବିରୋଧ ପ୍ରଦର୍ଶନା ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମ ସିଂଘେ ଦେଶର ଆର୍ଥିକ ସଙ୍କଟ ଭିତରେ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ବା ଆଇଏମଏଫକୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ଅନୁରୋଧକୁ ରକ୍ଷା କରି ପରେ ମଙ୍ଗଳବାର ୩ଜଣ ଆଇଏମଏଫ ପ୍ରତିନିଧମଣ୍ଡଳ କଲୋମ୍ବରେ ପହଁଛନ୍ତି