କନକ ବ୍ୟୁରୋ: ଘରର ମୁରବୀ ଚାଲିଗଲା ପରେ ସତେ ଯେମିତି ଭାଙ୍ଗି ଛାରଖାର ହୋଇଯାଇଛି ଗୋଟିଏ ପରିବାର । ଯେଉଁ ବୟସରେ ଖେଳିବା ବୁଲିବା କଥା, ବାପା ଚାଲିଗଲା ପରେ ମଉଳି ଯାଇଛି ୩ ନିଷ୍ପାପ ଶିଶୁଙ୍କର ସବୁ ସ୍ୱପ୍ନ । ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ୩ ଅନାଥ ଭଉଣୀ । କେବଳ ଭଙ୍ଗା ଘର ଖଣ୍ଡିକକୁ ଛାଡିଦେଲେ ଏମାନଙ୍କ ଅବସ୍ଥା ଦେଖିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ ।

Advertisment

publive-image

ପାଳଲହଡା ବ୍ଲକର ଶିଗଡ ପଂଚାୟତ ମାଙ୍ଗଡଚୁଆ ଗାଁର ନିର୍ମଳା ବଇପାଇ । ବୟସ ମାତ୍ର ୧୩ ବର୍ଷ ହେବ । ହେଲେ ନିର୍ମଳାଙ୍କ କଅଁଳ କାନ୍ଧରେ ଏବେ ରହିଛି ପୂରା ପରିବାରର ଦାୟିତ୍ୱ । ମୂଲ ଲାଗି ପେଟ ପୋଷିବା ସହିତ ସାନ ଭଉଣୀମାନଙ୍କୁ ଦେଖାଉଛନ୍ତି ଶିକ୍ଷାର ଆଲୋକ । ୬ବର୍ଷ ତଳେ ମାଆ ଟିକି ବଇପାଇ ଏମାନଙ୍କୁ ଛାଡି କେଉଁଆଡେ ଚାଲିଯାଇଥିଲେ ଆଉ ସେଦିନଠାରୁ ତାଙ୍କର କିଛି ଖୋଜ୍ ଖବର ମିଳୁନି । ବାପା ଲଛମନ ବଇପାଇ ମୂଲ ଲାଗି ପରିବାର ଚଳାଉଥିଲେ । ହେଲେ ବର୍ଷେ ହେବ ତାଙ୍କର ମୃତ୍ୟୁ ଘଟଛି । ତେବେ ବାପାଙ୍କ ମୃତ୍ୟୁ ପରେ ୭୫ ବର୍ଷୀୟ ବୁଢୀମା ନେଇଥିଲେ ନୀତୁଣୀମାନଙ୍କ ଦାୟିତ୍ୱ ହେଲେ ଦଇବ ଦାଉଁ ସାଧିଲା ଭଳି ସେ ମଧ୍ୟ ୩ ନିଷ୍ପାପ ଶିଶୁଙ୍କୁ ଏକୁଟିଆ କରି ଆରପାରିକୁ ଚାଲିଗଲେ । ଆଉ ଏହା ପରେ ପରିବାର ଉପରକୁ ମାଡି ଆସିଥିଲା ଦୁଃଖର କଳା ବାଦଲ । କେମିତି ପରିବାର ଚଳିବ ତାକୁ ନେଇ ଚିନ୍ତାରେ ପଡିଯାଇଥିଲା ସପ୍ତମ ଶ୍ରେଣୀରେ ପାଠପଢୁଥିବା ନିର୍ମଳା । ତେଣୁ ଆଗ ପଛ କିଛି ଚିନ୍ତା ନକରି ସାନ ଭଉଣୀଙ୍କ ମୁହଁରେ ଦାନା ଦୁଇ ମୁଠା ଦେବା ପାଇଁ ପରପାଖେ ମୁଲ ଲାଗିବାକୁ ଅଂଟା ଭିଡିଛି ନିର୍ମଳା ।

publive-image

କିନ୍ତୁ ଦାରିଦ୍ର୍ୟର ଏହି ଯାତନା ଭିତରେ ବି ହିମ୍ମତ ହାରିନି ନିର୍ମଳା । ନିଜେ ପାଠ ପଢିବା ସହ ଦୁଇ ଭଉଣୀଙ୍କୁ ମଧ୍ୟ ପାଠପଢାଉଛନ୍ତି । ପର ଘରେ କାମ କରିବା ସହ ବିଲରେ ଧାନ ମଧ୍ୟ କାଟୁଛି ନିର୍ମଳା । ଆଉ ଏଥିରୁ ଯେତିକି ଟଙ୍କା ରୋଜଗାର କରୁଛନ୍ତି ସେଥିରେ ହିଁ ସେମାନେ ଚଳୁଛନ୍ତି । ଆଉ ଯେଉଁଦିନ କାମ କରିବାକୁ ନିର୍ମଳା ଦେହରେ ବଳ ପାଏନି ସେଦିନ ପାଣି ଗିଲାସେ ପିଇ ୩ ଭଉଣୀଙ୍କୁ ଭୋକ ମେଂଟାଇବାକୁ ପଡିଥାଏ । ତେବେ ଗରିବଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ ଲାଗୁଛି ସତେ ଯେମିତି ଏହି ୩ ନିଷ୍ପାପ ଶିଶୁଙ୍କ ଲାଗି ସବୁ ଯୋଜନା ବାଟବଣା ହୋଇଯାଇଛି । ବଂଚିବା ପାଇଁ ସଂଘର୍ଷ କରୁୁଥିବା ଏହି ୩ ଭଉଣୀଙ୍କ ଦୁଃଖର ସ୍ୱର ସରକାରଙ୍କ କାନରେ କେବେ ପଡୁଛି ଏବେ ତାଙ୍କୁ ହିଁ ଅପେକ୍ଷା ।