୨୬/୧୧ ଆକ୍ରମଣକୁ ୧୩ ବର୍ଷ । ପଢନ୍ତୁ, ଆତଙ୍କୀଙ୍କ ଗୁଳିରେ ସେଦିନ କେମିତି ଥରିଉଠିଥିଲା ମାୟାନଗରୀ ମୁମ୍ବାଇ…

232

କନକ ବ୍ୟୁରୋ: ୨୬/୧୧… ଏ ଏମିତି ଏକ ଦିନ…ଯାହାକୁ କେବେ ଭୁଲି ପାରିବନି ଭାରତ । ଚାରିଆଡେ ଆତଙ୍କର ଭୟ ଆଉ ଭୁଇଁରେ ମରି ପଡିଥିଲା ଶହ ଶହ ଲୋକଙ୍କ ମୃତଦେହ । ଆତଙ୍କୀଙ୍କ ହାତରେ ଏକେ-୪୭ର ଗର୍ଜନ ସହ ୬୦ ଘଂଟା ପାଇଁ ମୁମ୍ବାଇରେ ଚାଲିଥିଲା ଛାତିଥରା ଆତଙ୍କରାଜ । ୧୩ ବର୍ଷ କ’ଣ? ଶହେ ବର୍ଷ ବିତିଗଲେ ବି ସେହି ଚିତ୍ରକୁ ଭୁଲିପାରିବେନି କେହି ବି ଭାରତୀୟ । ତାଜ ହୋଟେଲରୁ ବାହାରୁଥିବା ଏହି ଧୂଆଁ ହିଁ କହିପାରେ ୨୬/୧୧ ଆକ୍ରମଣ କେତେ ଭୟଙ୍କର ଥିଲା । ଆଉ କେତେ ନୀରିହ ଲୋକ ସେଦିନ ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ ।

ସେଦିନ ଥିଲା ୨୦୦୮ ମସିହା ନଭେମ୍ବର ୨୬ ତାରିଖ । ସବୁଦିନ ଭଳି ଚଳଚଂଚଳ ଥିଲା ମାୟାନଗରୀ ମୁମ୍ବାଇ । ଷ୍ଟେସନରେ ଟ୍ରେନ୍ ଯାଆସ କରୁଥିଲା, ରାସ୍ତା ଉପରେ ଗାଡିମୋଟରର ଶବ୍ଦ ସହରର ନିର୍ଜନତାକୁ ଭାଙ୍ଗି ଦେଉଥିଲା । ଆଉ ଏହାରି ଭିତରେ ହଠାତ୍ ଶୁଭିଥିଲା ଆତଙ୍କବାଦୀଙ୍କ ଗୁଳିର ଗର୍ଜନ । ଛତ୍ରପତି ଶିବାଜୀ ଟର୍ମିନାଲ ଭିତରେ ଆଖି ବୁଜା ଗୁଳିମାଡ କରିଥିଲେ ୨ ଆତଙ୍କବାଦୀ । ଆଉ ସବୁଦିନ ପାଇଁ ଶେଷ ହୋଇଯାଇଥିଲା ୫୮ ନୀରିହ ଲୋକଙ୍କ ଜୀବନ । ଆତଙ୍କବାଦୀ ଅଜମଲ ଆମିର କସାବ ସହ ଇସମାଇଲ ଖାନ ମିଶି ଏହି ଆତଙ୍କବାଦୀ ଆକ୍ରମଣକୁ ଅଞ୍ଜାମ ଦେଇଥିଲେ ।

ଷ୍ଟେସନରେ ନାରକୀୟ କାଣ୍ଡ ପରେ ତାଜ ହୋଟେଲ ସହ ଲିୟୋପୋର୍ଲ୍ଡ କାଫେ, କାମା ହସ୍ପିଟାଲ ଆଉ ଦକ୍ଷିଣ ମୁମ୍ବାଇରେ ଗର୍ଜିଥିଲା ଆତଙ୍କବାଦୀଙ୍କ ବନ୍ଧୁକ । ରାତି ଯେତେ ବଢୁଥିଲା ମୃତ୍ୟୁର ସେତେ ଅଧିକ ଖବର ସାମ୍ନାକୁ ଆସିବାରେ ଲାଗିିଥିଲା । ଅଧା ରାତି ହେଲା ବେଳକୁ ତାଜ ହୋଟେଲକୁ ପୁରାପୁରି କବଜାକୁ ନେଇ ଯାଇଥିଲେ ଆତଙ୍କବାଦୀ । ଯେଉଁଠି ଅନେକ ଲୋକଙ୍କୁ ବନ୍ଧକ ରଖିଥିଲେ ସୈତାନ ମାନେ । ବନ୍ଧକ ଥିବା ଲୋକମାନଙ୍କ ଭିତରେ ୭ ବିଦେଶୀ ନାଗରିକ ମଧ୍ୟ ରହିଥିଲେ ।

୨୭ ନଭେମ୍ବର ସକାଳୁ ସକାଳୁ ତାଜ ହୋଟେଲର ହେରିଟେଜ ୱିଙ୍ଗରେ ନିଆଁ ଲଗାଇ ଦେଇଥିଲେ ଆତଙ୍କୀ । ଇଏ ଥିଲା ସେହି ନିଆଁ ଯାହାକୁ ଦେଖିଥିଲା ସାରା ବିଶ୍ୱ । ଆତଙ୍କବାଦୀଙ୍କ କବଳରେ ପୂରା ହୋଟେଲ ଥିବା ଖବର ପାଇ ଏନଏସଜି କମାଣ୍ଡୋ ଓ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ସ୍ପେଶାଲ ଅପରେସନ । ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ଆତଙ୍କବାଦୀ ନିପାତ ହୋଇଥିଲେ । ଆଉ ଶେଷରେ ଧରାପଡିଥିଲା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅଜମଲ କସାବ । ଯାହାକୁ ପରେ ପରେ ଫାଶୀ ଖୁଣ୍ଟରେ ଝୁଲାଇଥିଲେ ଭାରତର ସୁପ୍ରିମକୋର୍ଟ ।

ମୁମ୍ବାଇ ଆକ୍ରମଣ ପଛର ପୂରା ମାଷ୍ଟରମାଇଣ୍ଡ ତିଆରି କରିଥିଲା ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଇବା । ଯାହାକୁ ସଫଳ କରିବାକୁ ୧୦ ଖୁନଖାର ଆତଙ୍କବାଦୀଙ୍କୁ ଜଳପଥରେ ଭାରତ ପଠାଇଥିଲା ଏହି ସଙ୍ଗଠନ । ଏହା ପୂର୍ବରୁ ଜଳପଥରେ ଆତଙ୍କୀଙ୍କ ଏଭଳି ଆକ୍ରମଣକୁ କେବେ ବି ଦେଖିନଥିଲା ଭାରତ । ଆଉ ୨୬-୧୧ ରେ ଯାହା ଘଟିଲା ତାହା ସବୁଦିନ ପାଇଁ ଭାରତ ଇତିହାସରେ ଏକ କଳାଦିନ ହୋଇ ରହିଗଲା ।