ଜ୍ୱର ପରେ ୭୦ ପ୍ରତିଶତ ନଷ୍ଟ ହୋଇଗଲା ଫୁସଫୁସ । ପୁଅର ଚିକିତ୍ସା ପାଇଁ ନେହୁରା ହେଲେ ଅସହାୟ ବାପା…

438

କନକ ବ୍ୟୁରୋ: ଏ ହସହସ ମୁହଁ, ନିଷ୍ପାପ ଆଖି, ନିରିହ ଚାହାଣୀ ଏତେ ଶୀଘ୍ର ଯେ ଦୁଃଖର ଦାଣ୍ଡକୁ ଟାଣି ହୋଇ ଯିବ ତାହା କେହି କେବେ କଳ୍ପନା କରି ନଥିଲେ । ଖେଳ କୁଦ ବୟସରେ ସେ ରୋଗ ବିଛଣାରେ ପଡିଯିବ । ଆଉ ଜୀବନକୁ ଉପଭୋଗ କରିବା ବଦଳରେ ଜୀବନ ପାଇଁ ସଙ୍ଘର୍ଷ କରିବ । ଏକଥା ନା କୁନି ପୁଅ ତୁଷାର ଜାଣିଥିଲା, ନା ଜାଣିଥିଲା ପରିବାର । ବିଧାତା ପୁଅ ସହ ହଠାତ୍ ଏମିତି ଖେଳ ଖେଳିବା ପରେ ଏବେ ପୁଅର ଜୀବନ ବଞ୍ଚାଇ ଦେବାକୁ ଗୁହାରୀ କରିଛନ୍ତି ଅସହାୟ ବାପା ।

ବରଗଡ ବିଜେପୁର ଜୋଖିପାଲି ଗାଁର ଗିରିଶ ଚନ୍ଦ୍ର ସାଙ୍କ ପୁଅ ତୁଷାର ୮ମ ଶ୍ରେଣୀରେ ପଢେ । ବୟସ ମାତ୍ର ୧୩ ବର୍ଷ । ହସଖୁସି, ମଜାମସ୍ତିରେ ଦିନ କାଟୁଥିଲା, ପାଠ ପଢୁଥିଲା । ବଡ ମଣିଷ ହେବାର ବି ସ୍ୱପ୍ନ ଦେଖୁଥିଲା । ହେଲେ ହଠାତ ସବୁକିଛି ଓଲଟ ପାଲଟ ହୋଇଗଲା । ଗତ ୨ ତାରିଖ ଦିନ ଜର ହୋଇଥିଲା । ମାତ୍ର ଚାହୁଁଚାହୁଁ ତିନି ଦିନରେ ଜର ଅସମ୍ଭାଳ ହେଲା, ନିୟନ୍ତ୍ରଣ ବାହାରକୁ ଚାଲିଗଲା । ଆଉ ଗୁରୁତର ହୋଇପଡିଲେ ତୁଷାର । ୫ ତାରିଖ ଦିନ ପୁଅକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିବା ପରେ ଜଣାପଡିଲା ତୁଷାରର ଅକ୍ସିଜେନ ଲେବଲ ୮୦ କୁ ଖସିଯାଇଛି । ଯାହା ପରିବାର ଲୋକଙ୍କ ମୁଣ୍ଡରେ ଚଡକ ପକାଇଥିଲା ।

ଏହାରି ଭିତରେ ତୁଷାରର ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବା ଦେଖି ତୁରନ୍ତ ୬ ତାରିଖ ଦିନ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାହେଲା । ମାତ୍ର ସେଠାରେ ଆଇସିୟୁ ଏବଂ ଭେଣ୍ଟିଲେଟରର ସୁବିଧା ନଥିବାରୁ କାଳ ବିଳମ୍ବ ନକରି ଭୁବନେଶ୍ୱର ଉତ୍କଳ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଗଲା । ଆଉ ସେଠାରେ ସିଟି ସ୍କାନ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ, ତୁଷାରର ୭୦ ପ୍ରତିଶତ ଫୁସଫୁସ ନଷ୍ଟ ହୋଇଯାଇଛି ବୋଲି । ଆଉ ସେ ସେପ୍ଟିସେମିଆ ରୋଗରେ ପୀଡିତ । ଏବେ ତୁଷାର ଭେଣ୍ଟିଲେଟରରେ ଥିବା ବେଳେ ଅଧିକ ଚିକିତ୍ସା ଏବଂ ଅଧିକ ଦିନ ଧରି ଅବଜରଭେସନରେ ରହିବାକୁ ଥିବାରୁ ପାଖାପାଖି ୭ ଲକ୍ଷ ଟଙ୍କା ଦରକାର ।

ଏପଟେ ରୋଗ ବାହାରିବାର ୨/୩ ଦିନ ଭିତରେ ୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଗଲାଣି । ବାପା ଗିରିଶ ପିଇଟି ଥିବାରୁ ଏତେ ଟଙ୍କା ଯୋଗାଡ କରି ପୁଅକୁ ଭଲ କରିବା ତାଙ୍କ ପକ୍ଷେ ସମ୍ଭବ ନଥିବାରୁ ମିଲାପ ଆପରେ ଫଣ୍ଡ ରେଜ ପାଇଁ ଉଦ୍ୟମ କରିଛନ୍ତି ତୁଷାରଙ୍କ ସମ୍ପର୍କୀୟ । ତେବେ ଆପଣମାନେ ବି ଯଦି ଏ କୁନି ପୁଅକୁ ନୂଆ ଜୀବନ ଦେଇ ତା ଓଠରେ ହସ ଫୁଟାଇବାକୁ ଚାହୁଁଛନ୍ତି ତେବେ ଲେଖି ରଖନ୍ତୁ ତାଙ୍କ ବାପାଙ୍କ ଆକାଉଣ୍ଟ ନମ୍ବର…

ନାମ- ଗିରିଶ ଚନ୍ଦ୍ର ସା

ଆକାଉଣ୍ଟ ନମ୍ବର- ୩୦୫୪୧୭୪୦୬୫୦

IFSC CODE- SBIN0018479

ଗୁଗୁଲ ପେ ଏବଂ ଫୋନ ପେ ନମ୍ବର- ୭୭୫୦୮୯୭୪୫୩

ଆସନ୍ତୁ ନିଜ ସକ୍ଷମ ଅନୁସାରେ ତୁଷାରକୁ ସାହାଯ୍ୟ କରିବା ଆଉ ତାକୁ କଷ୍ଟରୁ ତ୍ରାହି ଦେବା ।