୧୩ ଆତଙ୍କୀ ସଫା । ଭାରତୀୟ ସେନାକୁ ବଡ ସଫଳତା । ଗୋଟିଏ ଦିନରେ ୧୩ ଆତଙ୍କବାଦୀଙ୍କୁ ନିପାତ କଲା ସେନା

1,810

କନକ ବ୍ୟୁରୋ: କଶ୍ମୀରରେ ଆଜି ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି । ସେନା ଗୋଟିଏ ଦିନରେ ୧୩ ଜଣ ଆତଙ୍କବାଦୀଙ୍କୁ ମାରିଦେଇଛି । ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ ଜମ୍ମୁ ଓ କଶ୍ମୀରର ମେଣ୍ଢର-ପୁଞ୍ଛ ଅଂଚଳରେ ଥିବା ନିୟନ୍ତ୍ରଣରେଖା ନିକଟରେ ସେନା ପକ୍ଷରୁ କରାଯାଇଥିବା ଭିନ୍ନ ଭିନ୍ନ ଅପରେସନରେ ୧୩ ଆତଙ୍କବାଦୀଙ୍କୁ ମାରିଦିଆଯାଇଛି ।

ପ୍ରଥମ ଅପରେସନଟି ସୋମବାର ସକାଳେ ରାଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ହୋଇଥିଲା । ସେନା ଗୁଳିରେ ୩ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ସେହିପରି ନିୟନ୍ତ୍ରଣ ରେଖା ନିକଟରେ ଥିବା ମେଣ୍ଢର ସେକ୍ଟରରେ ହୋଇଥିବା ଏକ ଅପରେସନରେ ୧୦ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି ।

ସେନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୨୮ତାରିଖରୁ ନିୟନ୍ତ୍ରଣ ରେଖା ନିକଟରେ ସେନାର ଅପରେସନ ଜାରି ରହିଥିଲା । ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଅକଟାଇବାକୁ ସେନା ପକ୍ଷରୁ ଏହି ଅପରେସନ କରାଯାଇଥିଲା । ଏହି ଅପରେସନ ଫଳରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦମ ବିଫଳ ହେବା ସହ ୧୦ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ତେବେ ଆଉ କେତେକ ଆତଙ୍କବାଦୀ ଜଙ୍ଗଲରେ ଲୁଚିଥିବାରୁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଗତକାଲି ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା ଯେ ପାକ-ଅଧିକ୍‌ତ କଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଗୁଡ଼ିକରେ ଆତଙ୍କବାଦୀମାନେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି । ପାକିସ୍ତାନ ସେନା ପକ୍ଷରୁ ଗୁଳିବର୍ଷଣ କରି ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ସହାୟତା କରାଯାଉଛି । ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ନିୟନ୍ତ୍ରଣରେଖା ନିକଟସ୍ଥ ସ୍ଥିତିକୁ ଅସ୍ଥିର କରାଯାଉଛି ।