କାବୁଲ ପରେ ଇରାକରେ ଆଇଏସଆଇଏସର ବର୍ବର କାଣ୍ଡ

127

କନକ ବ୍ୟୁରୋ : ଆଫଗାନିସ୍ତାନ ପରେ ଏବେ ଇରାକରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଆଇଏସଆଇଏସ ଆତଙ୍କବାଦୀଙ୍କ ଗୁଳିରେ ୧୩ ଜଣ ପୋଲିସକର୍ମୀ ସହିଦ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଥିବା କୁହାଯାଇଛି । ଆଇଏସଆଇଏସ ଆତଙ୍କବାଦୀମାନେ ଉତ୍ତର ଇରାକର କିରଫୁକ ସହରରେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି । ସେଠାରେ ଥିବା ଏକ ଚେକ୍ ପଏଣ୍ଟ ନିକଟରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳନା କରିବା ପରେ ଚେକ୍ ପଏଣ୍ଟରେ ଥିବା ପୋଲିସ କର୍ମୀମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ସାଧାରଣ ଲୋକ ଓ ପୋଲିସ କର୍ମୀ ଗୁରୁତର ହୋଇଛନ୍ତି । ଇରାକ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ଏଭଳି ଘଟଣା ଶନିବାର ବିଳମ୍ବିତ ରାତିରେ ଘଟିଛି । ଆଇଏସଆଇଏସ ଆତଙ୍କବାଦୀମାନେ କିଛିଦିନ ହେବ ଇରାକ ସେନା ଓ ପୋଲିସ କର୍ମୀ ମାନଙ୍କୁ ଟାର୍ଗେଟ୍ କରୁଛନ୍ତି । ଏହା ଚଳିତ ବର୍ଷ ଆତଙ୍କବାଦୀ ସଂଗଠନର ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଇଛି ।

କହିରଖୁ କି ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ କାବୁଲ ବିମାନବନ୍ଦର ବାହାରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ହାତ ଥିବା ନିଜେ ସଂଗଠନ ଦାବି କରିଥିଲା । ଏହି ବିସ୍ଫୋରଣରେ ୧୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ ।