କନକ ବ୍ୟୁରୋ : ଦେଶରେ ଲାଗି ରହିଥିବା କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ଏବେ ବି ଅକ୍ସିଜେନର ଅଭାବ ଲାଗି ରହିଛି । ଗୋଆର ଗୋଆ ମେଡିକାଲ କଲେଜରେ ଅକ୍ସିଜେନର ଅଭାବରୁ ପୁଣି କରୋନା ସଂକ୍ରମିତଙ୍କ ଜୀବନ ଯାଇଛି । ମେଡିକାଲ କଲେଜ ହସ୍ପିଟାଲରେ ଗତ ରାତି ୨ ଟାରେ ଅକ୍ସିଜେନ ଅଭାବ ପଡିବାରୁ ପୁଣି ୧୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଯାହାକି ପ୍ରଶାସନର ଅବହେଳା ବା ଖାମଖିଆଲି ନୀତିକୁ ପଦାରେ ପକାଇଛି ।
କହିରଖୁ କି କ୍ରମାଗତ ଭାବେ ଗୋଆରେ କିଛି ଦିନ ହେବ ଅକ୍ସିଜେନ ଅଭାବର ରୋଗୀଙ୍କର ମୃତ୍ୟୁ ହେଉଛି । ମଙ୍ଗଳବାର ଦିନ ୨୬, ବୁଧବାର ୨୦, ଗୁରୁବାର ୧୫ ଓ ଶୁକ୍ରବାର ୧୩ ଜଣ ଲୋକଙ୍କ ଜୀବନ ଅକ୍ସିଜେନ ଅଭାବରୁ ଯାଇଛି । ଏଭଳି ସ୍ଥଳେ ମେଡିକାଲ ଅଧିକାରୀଙ୍କ ବୟାନ ଆହୁରି ତାଜୁବ୍ କରିଦେବା ଭଳି । ମେଡିକାଲ ଅଧିକାରୀ କହିଛନ୍ତି କି ଗତ ରାତିରେ ଅକ୍ସିଜେନର ଅଭାବ ହୋଇଥିଲା । ହେଲେ ଲଜିସ୍ଟିକ ଠିକ୍ ସମୟରେ ଅକ୍ସିଜେନର ଟ୍ୟାଙ୍କର ଆଣି ପହଂଚାଇ ନପାରିବାରୁ ଏଭଳି ଘଟିଛି ।
ଏତେ ଲୋକଙ୍କ ମୃତ୍ୟୁ ପରେ ଗୋଆ ସରକାର ଏହି ମେଡିକାଲ କଲେଜ ଓ ହସ୍ପିଟାଲକୁ ଅକ୍ସିଜେନ ଯୋଗାଣ ନେଇ ଏକ କମିଟି ଗଠନ କରିଛନ୍ତି । ଯେଉଁ କମିଟିରେ ଆଇଆଇଟିର ବି.କେ ମିଶ୍ରା, ଜିଏମସି ର ପୂର୍ବତନ ଡିନ ବିଏନ ଜିନ୍ଦର ଓ ତାରିକ ଥୋମାସଙ୍କୁ ସାମିଲ କରାଯାଇଛି ।
ଏହି କମିଟିକୁ ନିର୍ଦ୍ଦେଶ ଦିଆଯାଇଛି କି ସେମାନେ ହସ୍ପିଟାଲକୁ ଅକ୍ସିଜେନ ଯୋଗାଣ ଉପରେ ନଜର ରଖିବେ । ଏହାସହ ପ୍ରତି ୩ ଦିନରେ ବିଭାଗ ପାଖରେ ରିପୋର୍ଟ ରଖିବାକୁ କୁହାଯାଇଛି ।