କନକ ବ୍ୟୁରୋ : ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମୃତ୍ୟବରଣ କରିଥିବା ସାମ୍ବାଦିକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ସରକାର । ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୃତ ସାମ୍ବାଦିକଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ । ପୋଲିସ ବିଭାଗ ତରଫରୁ ୯ ଲକ୍ଷ ଓ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

Advertisment

ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣର ଶିକାର ହୋଇଥିଲେ ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ । କଳାହାଣ୍ଡିର ରାମପୁର ଥାନା ଅନ୍ତର୍ଗତ ମୋହନଗିରି ଅଞ୍ଚଳର  ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳ ଆଜି ଦୁଲେନ  କରଲାର୍ଖୁଣ୍ଟା ବ୍ରିଜରେ ମାଓବାଦୀଙ୍କ ପୋଷ୍ଟର ଲାଗି ଥିବାର ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ । ଆଉ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ହିଁ ରାସ୍ତାରେ ବଡ ବିସ୍ଫୋରଣ ହୋଇଥିଲା । ଫଳରେ ଗାଡିରୁ ଛିଟିକି ପଡିଥିଲେ ରୋହିତ । ମୁହଁ ଓ ଶରୀରର ଅନ୍ୟ ଅଙ୍ଗରେ ଗଭୀର ଆଘାତ ଲାଗିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ।

ବିସ୍ଫୋରଣ ପରେ ଘଟଣାସ୍ଥଳରେ ସିଆରପିଏଫ ଓ ପୋଲିସ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ପୂରା ଅଞ୍ଚଳକୁ ଘେରାଉ କରି ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ । ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ କୌଣସି ସାମ୍ବାଦିକ ମୃତ୍ୟୁ ବରଣ କରିବା ଏହା ରାଜ୍ୟରେ ପ୍ରଥମ । ଏଠାରେ ସୂଚନାଯୋଗ୍ୟ ଯେ,  ମାଓବାଦୀ ମାନେ ଆଜି ଏହି ସ୍ଥାନରେ ଭୋଟ ବର୍ଜନ କରିବାକୁ ପୋଷ୍ଟର ମାରିଥିଲେ । ଏହାସହ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୋଲିସ ଓ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ଉଠାଇବାକୁ ଦାବି କରିଥିଲେ । ଏହି ପୋଷ୍ଟର ରେ ଭାରତୀୟ କମ୍ୟୁନିଷ୍ଟ  ପାର୍ଟି କେକେବିଏନ  ଡିଭିଜନ ବୋଲି  ଉଲ୍ଲେଖ ରହିଛି ।