ସୁକମା ଚିନ୍ତାଗୁଫାରେ ଯବାନ-ମାଓବାଦୀ ଗୁଳିବିନିମୟ: ୧୪ ଯବାନ ଆହତ, ୧୩ ନିଖୋଜ; ମାଓ ଗତିବିଧି ନେଇ କାଲି ଆରମ୍ଭ ହୋଇଥିଲା କୁମ୍ବିଂ ଅପରେସନ୍

1,282

କନକ ବ୍ୟୁରୋ: ଗତକାଲି ସନ୍ଧ୍ୟାରେ ବସ୍ତର ଅଞ୍ଚଳର ସୁକମା ଜିଲ୍ଲାରେ ମାଓବାଦୀଙ୍କ ସହ ଗୁଳି ବିନିମୟ ପରେ ୧୩ ଜଣ ଯବାନ ନିଖୋଜ ଥିବା ପୁଲିସ କହିଛି । ଏହି ଗୁଳି ବିନିମୟ ଘଟଣାରେ ଆହତ ହୋଇଥିବା ଅନ୍ୟ ୧୪ଜଣ ଯବାନଙ୍କୁ ଚିକିତ୍ସା ନିମନ୍ତେ ରାୟପୁର ନିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ଣ ପ୍ରାୟ ୧ଟା ବେଳେ ଚିନ୍ତାଗୁଫା ଅଞ୍ଚଳର କୋରଜଗୁଡ଼ା ପାହାଡ଼ ନିକଟରେ ଗୁଳି ବିନିମୟ ହୋଇଥିଲା । ସେତେବେଳେ ନିରାପତ୍ତା ବଳର ଏକ ମିଳିତ ଟିମ୍ ସେ ଅଞ୍ଚଳରେ ମାଓବିରୋଧୀ ଅଭିଯାନ ଚଳାଉଥିଲେ । ଅପରାହ୍ଣ ୧ଟା ପରେ ସନ୍ଧ୍ୟାଯାଏଁ ସେଠାରେ ଏକାଧିକ ବାର ଗୁଳି ବିନିମୟ ହୋଇଥିଲା । ନିରାପତ୍ତା ବଳର ଯବାନମାନେ ଅଭିଯାନରୁ ଫେରିବା ପରେ ଜଣାପଡ଼ିଲା ଯେ ସେମାନଙ୍କ ମଧ୍ୟରୁ ରାଜ୍ୟ ପୁଲିସର ୧୩ଜଣ ଯବାନ ଫେରି ନାହାନ୍ତି ଏବଂ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି ।

ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ, ସ୍ପେସାଲ ଟାସ୍କ ଫୋର୍ସ ଏବଂ କୋବ୍ରା ବାହିନୀ ଚଳାଇଥିବା ଏହି ମାଓବିରୋଧୀ ଅଭିଯାନରେ ୧୫୦ଜଣ ନିରାପତ୍ତା କର୍ମଚାରୀ ସମ୍ପୃକ୍ତ ଥିଲେ । ନିଖୋଜ ହୋଇଥିବା ୧୩ଜଣ ଯବାନଙ୍କ ସନ୍ଧାନ ନେବା ଲାଗି ଆଜି ସକାଳେ ଘଟଣାସ୍ଥଳରେ ଆରମ୍ଭ ହୋଇଛି ତଲାସ ଅଭିଯାନ ।