ସେନା ହେଲିକପ୍ଟର କ୍ରାସ ଘଟଣା: ୧୪ ଜଣଙ୍କ ମଧ୍ୟରୁ ମିଳିଲାଣି ୧୩ ଜଣଙ୍କ ମୃତଦେହ, ଶବ ଚିହ୍ନଟ ପାଇଁ ହେବ ଡ଼ିଏନଏ ଟେଷ୍ଟ

396

କନକ ବ୍ୟୁରୋ: ତାମିଲନାଡ଼ୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରରେ ସିଡିଏସ ବିପିନ ରାୱତ୍, ତାଙ୍କ ପରିବାର ଲୋକ ଏବଂ ସେନା ଅଧିକାରୀ ଥିଲେ । ସେନାର ଏମଆଇ-୧୭-ଭି-ଫାଇଭ ଚପର ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଏହି ଆର୍ମି ହେଲିକ୍ୟାପ୍ଟରରେ ୧୪ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାର ଯାଂଚ ଆଦେଶ ଦେଇଛି ବାୟୁସେନା । ତେବେ ହେଲିପ୍ଟରରେ ଥିବା୧୪ ଜଣଙ୍କ ମଧ୍ୟରୁ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡ଼ିଏନଏ ଟେଷ୍ଟ ପରେ ଜଣାପଡ଼ିବ ମୃତକଙ୍କ ପରିଚୟ ।

ଦୁର୍ଘଟଣା ସ୍ଥଳରୁ ଉଦ୍ଧାର ପରେ ସମସ୍ତଙ୍କୁ ତାମିଲନାଡ଼ୁର ୱିଲିଙ୍ଗଟନ ସ୍ଥିତ ସେନା ହସ୍ପିଟାଲକୁ ନିଆଯାଇଛି । ସିଡ଼ିଏସ ବିପିନ ରାୱତ୍ ଓ ତାଙ୍କ ପତ୍ନି ଓ କିଛି ସେନା ଅଧିକାରୀଙ୍କୁ ନେଇ ହେଲିକପ୍ଟରଟି ଯାଉଥିବା ବେଳେ ଖସିପଡ଼ି ଜଳିଯାଇଛି ସେନା ଚପର । କୋଏମ୍ବାଟୁରରୁ ସୁଲୁର ଭିତରେ ଏପରି ଦୁର୍ଘଟଣା ହୋଇଛି । ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ଚପର ଦୁର୍ଘଟଣା ନେଇ ବିବୃତି ରଖିବେ ବୋଲି ସୁଚନା ମିଳିଛି ।

ସେପଟେ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଭି.ଆର ଚୌଧୁରୀ ସୁଲୁର ଏୟାରବେସରେ ପହଂଚିଥିବା ସୁଚନା ମିଳିଛି । ଅନ୍ୟପଟେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ମଧ୍ୟ ଘଟଣା ସ୍ଥଳକୁ ଯାଉଥିବା ସୁଚନା ମିଳିଛି । ତେବେ ସିଡ଼ିଏସଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ବାୟୁସେନା ମୁଖ୍ୟ ଏମଏମ ନରୱଣେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।