୧୨ବର୍ଷର ନାବାଳକ କାନ୍ଧରେ ପରିବାରର ବୋଝ ! ଦହିବରା ବିକ୍ରି କରି ବାପାଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଉଛି ହୃଦରୋଗୀ ସୋନୁ

77

କନକ ବ୍ୟୁରୋ : ୧୨ ବର୍ଷର ପିଲା ଉପରେ ପଡ଼ିଛି ପରିବାରର ବୋଝ । ପାଠ ପଢିବା ଆଉ ଖେଳିବା ବୁଲିବା ବୟସରେ ଦହିବରା ବିକ୍ରି କରି ପରିବାର ଚଳାଉଛି ନାବାଳକ ସୋନୁ । କାରଣ ଏହି ଛୋଟ ପିଲାଟି ଉପରେ ନିର୍ଭରଶୀଳ ହୋଇପଡ଼ିଛି ପୂରା ପରିବାର । ତେବେ ସବୁଠୁ ଦୁଃଖର କଥା ହେଉଛି ସୋନୁ ନିଜେ ଶିକାର ହୋଇଛି ହୃଦରୋଗର । ସେପଟେ ଘରେ ପଡିଛନ୍ତି ରୋଗୀଣା ବାପା । ତେଣୁ ଉପାୟ ଶୂନ୍ୟ ଭାବେ ଦହିବରା ବିକି ଗୁଜରାଣ ମେଂଟାଉଛି ନାବାଳକ ସୋନୁ ।

ବରଗଡ ଜିଲ୍ଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଦୃଶ୍ୟ । ଯେଉଁଠି ଦହିବରା ବିକ୍ରି କରୁଛି ୧୨ ବର୍ଷର ସୋନୁ । ବରଗଡ ସହରରେ ଦହିବରା ବିକାଳୀ ଭାବେ ପରିଚିତ ତୁଲାରାମ ସାହୁଙ୍କ ପୁଅ ସୋନୁ । ବ୍ରେନ୍ ଟ୍ୟୁମରରେ ପୀଡିତ ତୁଲାରାମ ପକ୍ଷାଘାତର ଶିକାର ହେବା ପରେ ଏବେ ଭିନ୍ନକ୍ଷମ । ତେଣୁ ପରିବାର ଚଳାଇବା ସହ ରୋଗୀଣା ବାପାଙ୍କ ଚିକିତ୍ସା ଖର୍ଚ୍ଚର ଦାୟିତ୍ୱ ବି ପଡିଛି ସୋନୁ ଉପରେ । ତେବେ ବଡ କଥା ହେଉଛି ସୋନୁ ନିଜେ ବି ଜଣେ ହୃଦରୋଗୀ । ମାତ୍ର ୩ ବର୍ଷ ବୟସରେ ସୋନୁର ହୋଇଥିଲା ହାର୍ଟ ସର୍ଜରୀ ।

ବରଗଡ଼ ବିଶିକଲୋନୀରେ ଭଡ଼ା ଘରେ ରହୁଥିବା ତୁଲାରାମଙ୍କ ପରିବାର ଉପରେ ଦୁଃଖର ପାହାଡ । ପୁଅ ସୋନୁର ହାର୍ଟସର୍ଜରୀ ପାଇଁ ସର୍ବସ୍ୱାନ୍ତ ହୋଇଥିବା ବେଳେ ତୁଲାରାମ ଏବେ ନିଜେ ବ୍ରେନ୍ ଟ୍ୟୁମର ରୋଗରେ ପୀଡିତ । ତୁଲାରାମଙ୍କ ଚିକିତ୍ସା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି ପୁଅ ସୋନୁ ଆଉ ତାର ମାଆ ସନ୍ତୋଷିନୀ । ତେବେ ଏତେ ସବୁ ସମସ୍ୟା ସତ୍ତ୍ୱେ ପାଠ ପଢା ଜାରି ରଖିଛି ସୋନୁ । ମାଆ, ଘରେ ଦହିବରା ପ୍ରସ୍ତୁତ କରୁଥିବା ବେଳେ ସୋନୁ ସ୍କୁଲରୁ ଫେରିବା ପରେ ଦହିବରା ବିକିବାକୁ ଚାଲିଯାଏ ବଜାରକୁ ।

ବାପାଙ୍କ ଚିକିତ୍ସା ସାଙ୍ଗକୁ ଦୁଇ ଭାଇ ଭଉଣୀଙ୍କ ପାଠପଢାର ଦାୟିତ୍ୱ ଆଉ ରୋଗୀଣା ବୁଢୀ ମାଆର ଔଷଧ ଖର୍ଚ୍ଚ ବି ସୋନୁର କୁନି କାନ୍ଧ ଉପରେ । ତୁଲାରାମଙ୍କ ରୋଗର ଚିକିତ୍ସା ପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ରେଡ଼କ୍ରସ୍ ପକ୍ଷରୁ ମିଳିଥିବା ଦଶ ହଜାର ଟଙ୍କା ସମୁଦ୍ରକୁ ଶଙ୍ଖେ ବୋଲି କୁହନ୍ତି ତୁଲାରାମ । କଥାରେ ଅଛି ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବଙ୍କୁ ସାଙ୍ଗରେ ଧରି ଆସେ । ତୁଲାରାମଙ୍କ ପରିବାରକୁ ପ୍ରଶାସନ କିମ୍ବା ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରିଲେ ହୁଏତ ସେମାନଙ୍କ ଦୁଃଖ ଲାଘବ ହୋଇପାରନ୍ତା ।