ଡାକ୍ତରଖାନା ଉପରେ ଲାଗିଲା ଗମ୍ଭୀର ଅଭିଯୋଗ ! ୨ ବର୍ଷୀୟ ଶିଶୁକୁ ଦିଆଯାଇଥିଲା ଏଚଆଇଭି ସଂକ୍ରମିତ ରକ୍ତ । 

331

ତାମିଲନାଡୁର ଏକ ସରକାରୀ ଡ଼ାକ୍ତରଖାନା ଉପରେ ୨ ବର୍ଷୀୟ ଶିଶୁର ବାପା ଗମ୍ଭୀର ଆରୋପ ଲଗାଇଛନ୍ତି । ଚିକିତ୍ସା ସମୟରେ ଭୁଲବଶତଃ ଡ଼ାକ୍ତର ଶିଶୁକୁ ଏଚଆଇଭି ସଂକ୍ରମିତ ରକ୍ତ ଦେଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା । ପୀଡ଼ିତାଙ୍କୁ ହୃଦୟ ସମ୍ବନ୍ଧିତ ସମସ୍ୟା ଥିବାରୁ ତାଙ୍କୁ ସରକାରୀ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଅଣା ଯାଇଥିଲା । ଯେଉଁ ସମୟରେ ଡ଼ାକ୍ତର ଏଭଳି ବଡ଼ ଭୁଲ କରିଥିଲେ ।

ସୂଚନା ମୁତାବକ, ଘଟଣାଟି କୋଏମ୍ବାଟୁରରେ ଥିବା ଏକ ସରକାରୀ ଡ଼ାକ୍ତରଖାନାରେ ଘଟିଛି । ପୀଡ଼ିତା ବାପାଙ୍କ କହିବା ଅନୁଯାୟୀ, “ଗତବର୍ଷ ଝିଅର ସ୍ୱାସ୍ଥ୍ୟବସ୍ତା ବିଗିଡ଼ିବାରୁ ତାକୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ହେବା ସମୟରେ ଡ଼ାକ୍ତର ଏଚଆଇଭି ସଂକ୍ରମିତ ରକ୍ତ ମୋ ଝିଅକୁ ଚଢ଼ାଇ ଦେବା ସହ ଘରକୁ ପଠାଇ ଦେଇଥିଲେ । କିନ୍ତୁ ଚଳିତ ମାସରେ ଦେହ ଖରାପ ହେବାରୁ ଆମେ ରକ୍ତ ପରୀକ୍ଷା କରାଇଥିଲୁ । ଯାହା ପରେ ମୋ ଝିଅ ଏଚଆଇଭି ପୀଡ଼ିତ” ବୋଲି ସ୍ପଷ୍ଟ ହୋଇଥିଲା । ଅନ୍ୟ ପକ୍ଷରେ, ଡ଼ାକ୍ତରଖାନା ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି । “ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଅଣା ଯାଇଥିବା ବେଳେ ତାଙ୍କ ଓଜନ ବହୁତ କମ ଥିଲା । ଯାହା ପରେ ରକ୍ତର ଭଲ ଭାବେ ପରୀକ୍ଷା କରାଯିବା ସହ ରକ୍ତ ଦିଆଯାଇଥିଲା । ପୀଡ଼ିତାଙ୍କୁ ଏଚଆଇଭି ସଂକ୍ରମଣ ଅନ୍ୟ କେଉଁ ଡ଼ାକ୍ତରଖାନାରୁ ହୋଇ ଥାଇପାରେ” ବୋଲି କହିଛନ୍ତି ଡ଼ାକ୍ତରଖାନାର ଡିନ୍ । ଏହା ସହ ପୀଡ଼ିତାଙ୍କ ମେଡିକାଲ ରିପୋର୍ଟରୁ ମଧ୍ୟ କୌଣସି ଭୁଲ ନଥିବା ସ୍ପଷ୍ଟ ହୋଇଛି ।