ଇଟାଲୀରୁ ଅମୃତସର ଆସିଥିବା ବିମାନରୁ ବାହାରିଲେ ୧୨୫ କରୋନା ପଜିଟିଭ, ରିପୋର୍ଟକୁ ଭୁଲ ଦର୍ଶାଇ ଯାତ୍ରୀଙ୍କ ହଟ୍ଟଗୋଳ

131

କନକ ବ୍ୟୁରୋ : ଦେଶରେ ଏବେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡି ଚାଲଇଛି । ଦୈନଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଲୋକଙ୍କ ଚିନ୍ତା ବଢାଇଛି । ଏହି କ୍ରମରେ ଇଟାଲୀରୁ ଅମୃତସର ଆସିଥିବା ଏୟାର ଇଣ୍ଡିଆର ଏକ ବିମାନରୁ ୧୨୫ ଜଣ ଯାତ୍ରୀ କରୋନା ପଜିଟିଭ ଥିବା ଜଣାପଡିଛି । ଏସବୁ ଯାତ୍ରୀ ଅମୃତସର ବିମାନବନ୍ଦରରେ ପହଂଚିଥିଲେ । ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଯାତ୍ରୀ ପଞ୍ଜାବର । ପଜିଟିଭ ଚିହ୍ନଟ ହେବା ପରେ ଯାତ୍ରୀମାନେ ବିମାନ ବନ୍ଦରରେ ହଙ୍ଗାମା କରିଥିଲେ । ସେମାନେ ଅଭିଯୋଗ କରିଛନ୍ତି କି ଜାଣିଶୁଣି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ କରାଯାଇଛି । ସେମାନେ କହିଛନ୍ତି କି ସେମାନେ ଇଟାଲୀରେ କରୋନା ଟିକାର ଉଭୟ ଡୋଜ ନେବା ସହ ୭୨ ଘଂଟା ପୂର୍ବରୁ ନେଗେଟିଭ ରିପୋର୍ଟ ଆସିଥିଲା ।

କହିରଖୁ କି, ଭାରତରେ ଗତ ୨୪ ଘଂଟା ମଧ୍ୟରେ ସର୍ବାଧିକ ୪୯୫ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୬୩୦ କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୭୯୭ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୪୬୫, ରାଜସ୍ଥାନ ୨୩୪, କର୍ଣ୍ଣାଟକ ୨୨୬, ଗୁଜୁରାଟ ୨୦୪ ଓ ତାମିଲନାଡୁରୁ ୧୨୧ ମାମଲା ସାମ୍ନାକୁ ଆସିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ୯୦,୯୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୦୨୧ ଜୁନ ୧୦ ତାରିଖ ପରେ ଦେଶରେ ଗୋଟିଏ ଦିନରେ ଏହା ସର୍ବାଧିକ ମାମଲା ବୋଲି କୁହାଯାଇଛି ।  ଅନ୍ୟପଟେ ଗତ ୨୪ ଘଂଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣରେ ୩୨୫ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ମଧ୍ୟରୁ କେରଳରେ ୨୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି ।