କନକ ବ୍ୟୁରୋ : ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବଢିଛି । ଟାଙ୍ଗୀ ରେଂଜରେ ସର୍ବାଧିକ ଓ ରମ୍ଭା ରେଂଜରେ ସବୁଠୁ କମ ପକ୍ଷୀ ଠାବ ହୋଇଛି । ଗତ ବର୍ଷ ଅପେକ୍ଷା ୧ ଲକ୍ଷ ୩୨ ହଜାରରୁ ଅଧିକ ବିଦେଶାଗତ ପକ୍ଷୀ ଚିହ୍ନଟ ହୋଇଛନ୍ତି । ଚିଲିକାରେ ୨୧ଟି ଗ୍ରୁପ ପକ୍ଷୀ ଗଣନା କାର୍ଯ୍ୟ କରିଥିଲେ । ପ୍ରତି ଗ୍ରୁପରେ ଜଣେ ପକ୍ଷୀ ବିଶେଷଜ୍ଞ ସହିତ ୩ରୁ ୫ ଜଣ ସ୍ଥାନୀୟ ଗାଇଡଙ୍କୁ ସାମିଲ କରାଯାଇଥିଲା ।
ଦୁଇଟି ଦଳ ସଡକ ପଥରେ ଓ ୧୯ଟି ଦଳ ଡଙ୍ଗାରେ ଯାଇ ପକ୍ଷୀ ଗଣନା କରିଛନ୍ତି । ଚଳିତ ବର୍ଷ ୧୧୧ ପ୍ରଜାତିର ୧୨ ଲକ୍ଷ ୪ହଜାର ୩୫୧ ବିଦେଶରୁ ଆସିଥିବା ପକ୍ଷୀ ଚିହ୍ନଟ କରାଯାଇଛି । ସେହିପରି ୭୯ ପ୍ରଜାତିର ୩୮ହଜାର ୪୭୫ ସ୍ଥାନୀୟ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ଚିଲିକାରେ ମୋଟ ୧୯୦ ପ୍ରଜାତିର ୧୨ଲକ୍ଷ ୪୨ ହଜାର ୮୨୬ ପକ୍ଷୀ ଗଣନା କରାଯାଇଛି ।