ଭାରତରେ ଦ୍ରୁତଗତିରେ ମାଡିଚାଲିଛି କରୋନା । ବ୍ଲୁମବର୍ଗ କରୋନା ଭାଇରସ୍ ଟ୍ରାକର କହିଲା, ବିଶ୍ୱରେ ସବୁଠାରୁ ଦ୍ରୁତ ଗତିରେ ଭାରତରେ ବଢୁଛି ସଂକ୍ରମଣ ।

355

କନକ ବ୍ୟୁରୋ: ଦେଶରେ ବଢିଚାଲିଛି କରୋନା ସଂକ୍ରମଣ । ଗତ ୭ଦିନର ତଥ୍ୟ କହୁଛି, ପ୍ରତିଦିନ ପ୍ରାୟ ୫୦ହଜାର ଲୋକ କରୋନାରେ ସଂକ୍ରମିତ  ହେଉଛନ୍ତି । ବ୍ଲୁମବର୍ଗ କରୋନା ଭାଇରସ ଟ୍ରାକର ତଥ୍ୟ ଅନୁସାରେ ଗତ ସପ୍ତାହରେ ପାଖାପାଖି ୨୦ ପ୍ରତିଶତ ହାରରେ ସଂକ୍ରମଣ ବଢୁଛି । ଯାହା ଏବେ ୧୪ଲକ୍ଷ ପାର କରିସାରିଛି । ଭାରତରେ ନୂଆ ମାମଲାରେ ହେଉଥିବା ସଂଖ୍ୟା ବୃଦ୍ଧି ଦ୍ରୁତତମ ବୋଲି ଜଣାପଡିଛି ।

ଜୁଲାଇ ୨୩- ୪୫,୭୦୦ ସଂକ୍ରମିତ

ଜୁଲାଇ ୨୪-୪୯,୩୧୦ ସଂକ୍ରମିତ

ଜୁଲାଇ ୨୫-୪୮,୯୦୬ ସଂକ୍ରମିତ

ଜୁଲାଇ ୨୬-୪୮,୬୬୧ ସଂକ୍ରମିତ

ଜୁଲାଇ ୨୭-୪୯,୯୩୧ ସଂକ୍ରମିତ

ଗତ ସପ୍ତାହର ତଥ୍ୟକୁ ଯଦି ଦେଖାଯାଏ ତେବେ ଭାରତରେ ପାଖାପାଖି ୫୦ ହଜାର ଲୋକ ପ୍ରତିଦିନ କରୋନା ପଜିଟିଭ ବାହାରୁଛନ୍ତି । ବର୍ତମାନ ସ୍ଥିତିରେ ସାରା ବିଶ୍ୱରେ ଯଦି ଦେଖାଯାଏ, ତେବେ ଭାରତରେ ଏହି ମହାମାରୀ ଦ୍ରୁତଗତିରେ ବଢି ଚାଲିଛି । ବ୍ଲୁମବର୍ଗ କରୋନା ଭାଇରସ ଟ୍ରାକର ତଥ୍ୟ ଅନୁସାରେ ଗତ ସପ୍ତାହରେ ପାଖାପାଖି ୨୦ ପ୍ରତିଶତ ହାରରେ ବଢି ଏବେ ସଂକ୍ରମିତଙ୍କ ସଂଖ୍ୟା ୧୪ଲକ୍ଷ ପାର କରିସାରିଛି ।

ସଂକ୍ରମିତ ସଂଖ୍ୟା ଯଦି ଦେଖାଯାଏ ତେବେ ପ୍ରଥମ ସ୍ଥାନରେ ଆମେରିକା ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ । ଆଉ ବ୍ରାଜିଲ ପରେ ରହିଛି ଭାରତର ସ୍ଥାନ । ତେବେ ଭାରତରେ ନୂଆ ମାମଲାରେ ହେଉଥିବା ସଂଖ୍ୟା ବୃଦ୍ଧି ଦ୍ରୁତତମ ବୋଲି ଜଣାପଡିଛି ।

ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଏହି ୪ଟି ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ବାହାରିଛନ୍ତି । ଆଇସିଏମଆରର ତଥ୍ୟ ଅନୁସାରେ, ବିଶ୍ୱର ଦ୍ୱିତୀୟ ଜନସଂଖ୍ୟା ବହୁଳ ଦେଶ ଭାରତରେ ଗତ ରବିବାର ହିଁ ୫ଲକ୍ଷ ୧୫ହଜାର ୪୭୨ଟି ସାମ୍ପୁଲ ଟେଷ୍ଟ କରାଯାଇଥିଲା । ସମଗ୍ର ବିଶ୍ୱରେ ଯଦି ଟେଷ୍ଟିଂର ତଥ୍ୟକୁ ଦେଖାଯାଏ, ତେବେ ବ୍ରାଜିଲ ଏବଂ ଭାରତରେ ସବୁଠାରୁ କମ ପରୀକ୍ଷା ହୋଇଛି । ଭାରତରେ ପ୍ରତି ୧୦୦୦ଜଣରେ ୧୧ଟି ଟେଷ୍ଟ ହେଉଥିବା ବେଳେ ବ୍ରାଜିଲରେ ୧୨ଟି ଟେଷ୍ଟ ହେଉଛି । କିନ୍ତୁ ଆମେରିକାରେ ପ୍ରତି ୧୦୦୦ଜଣରେ ୧୫୨ଟି ଟେଷ୍ଟ କରାଯାଉଛି । ଋଷିଆରେ ଏହି ସଂଖ୍ୟା ରହିଛି ୧୮୪ ।

ଭାରତରେ ସଂକ୍ରମଣ ଏହିପରି ହାରରେ ବଢୁଥିଲେ ମଧ୍ୟ ଦିଲ୍ଲୀ ଓ ଉତର ପ୍ରଦେଶ ଭଳି ରାଜ୍ୟରେ ସଂଖ୍ୟା ଧୀରେ ଧୀରେ କମ ହେବା ଏକ ଭଲ ଦିଗଆଡକୁ ଇସାରା କରୁଛି । ବିଶେଷଜ୍ଞଙ୍କ କହିବାନୁସାରେ, ଭାରତରେ ଆଉ କିଛି ସମୟ ଏହି ଗ୍ରାଫ ଉପରମୁହାଁ ହେବ କିନ୍ତୁ ପରେ ଏହି ସଂକ୍ରମଣ ହାରରେ ପରିବର୍ତନ ଆସିବ ।