୧୫ ଦିନ ପରେ ଆସିବ କି ଭଲ ଖବର? ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର କହିଲେ, ୧୫ ଦିନପରେ ଦିଲ୍ଲୀ ଭଳି ଓଡିଶାରେ କମିପାରେ ସଂକ୍ରମଣ । ସେପଟେ ବରିଷ୍ଠ ଭେଷଜ ବିଶେଷଜ୍ଞଙ୍କ ମତ, ଶୀର୍ଷକୁ ଯିବାପାଇଁ ଆହୁରି ଲାଗିପାରେ ଦେଢମାସ ।

1,073

କନକ ବ୍ୟୁରୋ: ରାଜ୍ୟରେ ଲଗାତର ଉପରମୁହାଁ ହେଉଥିବା କରୋନାର ଏହି ଗ୍ରାଫ ଆହୁରି ୧୫ ଦିନ ଲାଗି ରହିବ । ଭୂତାଣୁ ସଂକ୍ରମଣ ପିକ୍ରେ ରହିବ । ଅର୍ଥାତ୍, ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବଢିବ । ଜୁନ୍ ମାସରେ ରାଜ୍ୟରେ କରୋନା ଶୀର୍ଷରେ ପହଁଚିବ ବୋଲି ପ୍ରଥମେ ଆକଳନ କରାଯାଇଥିଲା । ହେଲେ ଜୁଲାଇ ମାସରେ ଏହା ରେକର୍ଡ ପରେ ରେକର୍ଡ କରି ଚାଲିଛି । ସୋଆ ବିଶ୍ୱବିଦ୍ୟାଳୟର କୂଳପତି ତଥା ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ଆଉ ୧୫ ଦିନ ଅର୍ଥାତ୍ ଅଗଷ୍ଟ ଦ୍ୱିତୀୟ ସପ୍ତାହ ଯାଏ ରାଜ୍ୟରେ ଦ୍ରୁତ ଗତିରେ ବଢିବ ସଂକ୍ରମଣ । ତାପରେ ସଂକ୍ରମଣ କମିବା ସମ୍ଭାବନା ରହିଛି ।

ବିଶେଷଜ୍ଞଙ୍କ ମତ ଅନୁସାରେ, ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେଲା ପରେ ହିଁ ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧକ ଶକ୍ତି ସୃଷ୍ଟି ହୁଏ । ଏହାପରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥାଏ । ତେଣୁ ରାଜ୍ୟରେ କେବେ ସଂକ୍ରମଣ ହ୍ରାସ ପାଇବ ତାହା ନିର୍ଭର କରୁଛି ସଂକ୍ରମଣର ଶୀର୍ଷ ସ୍ତର ଉପରେ । ଏଭଳି ସ୍ଥିତିରେ ବରିଷ୍ଠ ଚିକିତ୍ସକ ନିରଜ ମିଶ୍ରଙ୍କ ମତ ହେଉଛି, ରାଜ୍ୟରେ ସଂକ୍ରମଣ ଶୀର୍ଷ ସ୍ତରରେ ପହଁଚିବାକୁ ଆହୁରି ମାସେରୁ ଦେଢମାସ ସମୟ ଲାଗିପାରେ । ..

ଦେଶରେ କରୋନାର ହଟସ୍ପଟ ପାଲଟିଥିବା ଦିଲ୍ଲୀରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦିଲ୍ଲୀରେ ଏପ୍ରିଲ, ମେ ଓ ଜୁନ୍ ତିନି ମାସ ଧରି ସଂକ୍ରମଣ ବଢିଚାଲିଲା । କେବଳ ଜୁନ୍ ମାସରେ ୩୧୯ ପ୍ରତିଶତ ବଢିଯାଇଥିଲା ସଂକ୍ରମଣ । ଆଉ ଜୁଲାଇରେ ସଂକ୍ରମଣର ହାର ରହିଛି ୪୮ ପ୍ରତିଶତ । ସଂକ୍ରମଣ ଶୀର୍ଷରେ ପହଂଚିବା ପରେ ହ୍ରାସ ପାଇବାରେ ଲାଗିଛି । ବିଶେଷଜ୍ଞଙ୍କ ଆକଳନ କହୁଛି, ଆମ ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିପାରେ । ଅର୍ଥାତ୍ ଶୀର୍ଷକୁ ଯାଇ ହ୍ରାସ ପାଇବ ସଂକ୍ରମଣ ।