କନକ ବ୍ୟୁରୋ: ମୋଦିଙ୍କ ପରେ ଶାହା କଲେ ନବୀନଙ୍କୁ ନିଶାନା । ଗତ ଶନିବାର ଦିନ ମୋଦି ଯେଉଁଠାରୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ବାଣରେ ଛାଡ଼ି ଯାଇଥିଲେ । ଶାହା ଆଜି ପୁଣି ସେଇଠୁ ଆରମ୍ଭ କଲେ । ଅଭିଭାଷଣ ଆରମ୍ଭରୁ ନବୀନ ସରକାରଙ୍କୁ ଟାର୍ଗେଟ କଲେ ଶାହା । ମାହୋଲ ଥିଲା ମହିଳା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ବୈଠକର ଉଦ୍-ଘାଟନ କରିବା ଅବସରରେ ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା । ସରକାରଙ୍କୁ ନିଶାନା କରି କହିଛନ୍ତି ଯେ, ‘୨୦୧୯ ନିର୍ବାଚନ ପାଇଁ ଆଜି ମହିଳା ମୋର୍ଚ୍ଚା ଏକାଠି ହୋଇଛନ୍ତି । ନବୀନ ସରକାର ବିରୋଧରେ ମହିଳାଙ୍କ ଜନ ଆକ୍ରୋଶ ବଢ଼ିଛି । ଯାହାର ପ୍ରତିଫଳନ ଓଡ଼ିଶାରେ ୨୦୧୯ରେ ବିଶେଷ ପ୍ରକାର ନିର୍ବାଚନ ହେବ ବୋଲି ମହିଳାମାନେ ସଙ୍କଳ୍ପ କରିଛନ୍ତି ।
ଏପରିକି ‘ଓଡ଼ିଶାବାସୀ ଚାହିଁଲେ ବିଜେପିର ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ହେବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଚେତାବନୀ ଦେଇ କହିଛନ୍ତି ଯେ, ଓଡ଼ିଶା ସରକାର ମିଲ ମାଲିକଙ୍କ ସହ ମିଶିଛି’ । ଚାଷୀଙ୍କ ଧାନ ଠିକରେ କିଣାଯାଉନି । ‘ନବୀନ ବାବୁ କେନ୍ଦ୍ରର ଅର୍ଥ ଚାଷୀଙ୍କୁ ନଦେଲେ ବିଜେପି ଛାଡିବନି’ ବୋଲି ଶରଧାବାଲିରୁ ସିଧା ଚେତାବନୀ ଦେଇଛନ୍ତି ଶାହା । ‘ଆୟୁଷ୍ମାନ ଭାରତ ଯୋଜନାର ଲାଭରୁ ଓଡ଼ିଶାବାସୀଙ୍କୁ ଜାଣିଶୁଣି ବଂଚିତ କରୁଛନ୍ତି ନବୀନ ବାବୁ । ବିଜେଡି ସରକାରକୁ ଲୋକଙ୍କର ନୁହେଁ ବରଂ କ୍ଷମତାର ଚିନ୍ତା ଅଛି ବୋଲି କହି ସମାଲୋଚନା କରିଛନ୍ତି ବିଜେପି ମୁଖିଆ ଅମିତ ଶାହା ।
/kanak/media/post_attachments/wp-content/uploads/2018/06/amit_6.jpg)
ସରକାରୀ କଳକୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି ଶାହା । ବିଜେଡିର ୧୮ ବର୍ଷ ଶାସନ ବିଫଳ ହୋଇଛି । ଯେଉଁଥି ପାଇଁ ଓଡ଼ିଶାର ବିକାଶ ପଥରେ ବାଧା ସୃଷ୍ଟି ହୋଇଛି । ଓଡ଼ିଶାର ଅଫିସରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଚାଟୁକାରୀରୁ ବାହାରକୁ ଆସନ୍ତୁ । ଓଡ଼ିଶାର ବିକାଶ କେବଳ ବିଜେପି ହିଁ କରିପାରିବ କହି ଅନେକ ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି ଅମିତ ଶାହା ।