ଲଗାଣ ବର୍ଷାରେ ବେହାଲ ଟ୍ୱିନସିଟି: ତଳିଆ ଅଞ୍ଚଳରେ ସ୍ଥିତି ସଂଗୀନ; ବାଲେଶ୍ୱରରେ ଘର ଭିତରେ ଲହଡି ଭାଙ୍ଗୁଛି ବର୍ଷାପାଣି

ସେପଟେ କୋଣାର୍କ ମନ୍ଦିର ପରିସରରେ ପାଣି ଜମିଥିବାରୁ ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

462

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଗତ କାଲିଠାରୁ ତୁହାକୁ ତୁହା ବର୍ଷା ହେଉଛି । ଆଜି ସକାଳୁ ଭୁବନେଶ୍ୱର ଓ ଏହାର ଉପକଣ୍ଠ ଅଂଚଳରେ ପ୍ରବଳ ବର୍ଷା ହେଉଛି । ରାସ୍ତା ଉପରେ ବର୍ଷା ପାଣି ଜମିଥିବାରୁ ଯାତାୟତ ପ୍ରଭାବିତ ହେବା ସହ ଟ୍ରାଫିକ ସମସ୍ୟା ଦେଖାଦେଇଛି । ତଳିଆ ଅଂଚଳରେ ବର୍ଷା ପାଣି ପଶିଥିବାରୁ ଲୋକେ ହଇରାଣ ହେଉଛନ୍ତି ।

ଲଗାଣ ବର୍ଷାରେ କଟକରେ ମଧ୍ୟ ସ୍ଥିତି ସଂଗୀନ ହୋଇପଡିଛି । ବାଦାମବାଡି ବସଷ୍ଟାଣ୍ଡରେ ପାଣି ଜମି ରହିଛି । କଟର ବିିଭିନ୍ନ ତଳିଆ ଅଂଚଳରେ ମଧ୍ୟ ଲୋକଙ୍କ ଘରେ ପାଣି ପଶିଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାରା ଦିନ ବର୍ଷା ଯୋଗୁଁ ଲୋକ ଘରୁ ମଧ୍ୟ ବାହାରି ପାରୁନାହାନ୍ତି । ବିଭିନ୍ନ ସ୍ଥାନରେ ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଉଛି । ଆହୁରି ଏମିତି ବର୍ଷା ୪୮ ଘଂଟା ପର୍ଯ୍ୟନ୍ତ ଲାଗିରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସେପଟେ, ଲଗାଣ ବର୍ଷା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରତିକ୍ରିୟା ରଖିଛନ୍ତି । ଭୁବନେଶ୍ୱର, କଟକ, ପୁରୀ,ଖୋର୍ଦ୍ଧା ଓ ଜଗତସିଂହପୁରରେ ଅଧିକ ବର୍ଷା ହୋଇଛି । ବର୍ଷା ପ୍ରଭାବିତ ଜିଲ୍ଳାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୁଦାମ ମାରାଣ୍ଡି କହିଛନ୍ତି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠୁ ପ୍ରବଳ ବର୍ଷା ହେଉଛି । ଦକ୍ଷିଣ ଓଡିଶା, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।

ଗତକାଲିଠାରୁ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ବର୍ଷାକୁ ଦୃଷ୍ଟିରେ ରଖି ଆଜି ୩ଟି ଜିଲ୍ଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲା ପ୍ରଶାସନ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ଗତ ୨ଦିନ ଧରି ଏହି ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଜିଲ୍ଲାପାଳ ମାନଙ୍କୁ ସ୍ୱତନ୍ତ୍ର ରିଲିଫ କମିସନରଙ୍କ ତରଫରୁ ଆଲର୍ଟ ଜାରି କରାଯାଇଛି । ଗ୍ରାଉଣ୍ଡ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ଆସନ୍ତାକାଲି ବର୍ଷାର ପରିମାଣ କମିଯିବ, ହେଲେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।