ଭୁତାଣୁ ସହ ଲଢୁଛି ଭାରତ । ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର, ଏଯାଏଁ ସୁସ୍ଥ ହେଲେଣି ୩୧ ପ୍ରତିଶତ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଅନ୍ୟ ଦେଶ ତୁଳନାରେ ଭାରତରେ ମୃତ୍ୟୁ ହାର କମ

840

କନକ ବ୍ୟୁରୋ: ବିଶ୍ୱରେ କୋଭିଡ-୧୯ ମାମଲା ୪୨ ଲକ୍ଷ ଟପିଗଲାଣି । ମୃତ୍ୟୁସଂଖ୍ୟା ୩ଲକ୍ଷ ଆଡକୁ ଗତି କରୁଛି । ଭାରତରେ ମଧ୍ୟ ଏହି ଭୂତାଣୁ ମହାମାରୀ ଭଳି ମାଡି ଚାଲିଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଚାଂଚଲ୍ୟକର ତଥ୍ୟ । ସାରା ବିଶ୍ୱରେ ଏକ ଅଲୋଡା ରେକର୍ଡ କରିଛି ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ, ଭାରତ ।

ଗ୍ଲୋବାଲ ଡାଟା ଟ୍ରାକିଂ ୱେବସାଇଟ ୱାଲ୍ଡୋମିଟରର ତଥ୍ୟ ଅନୁସାରେ, ସାରା ବିଶ୍ୱରେ କୋରନା ଭୂତାଣୁ ଆକ୍ରାନ୍ତ ମାମଲାରେ ଭାରତ ୧୩ ତମ ସ୍ଥାନରେ ରହିଛି । ତେବେ ସକ୍ରିୟ କରୋନା ମାମଲାରେ ଭାରତର ସ୍ଥାନ ବିଶ୍ୱରେ ଅଷ୍ଟମ । ମୋଟ ଆକ୍ରାନ୍ତ, ମୃତ୍ୟୁ ଓ ସୁସ୍ଥ ମାମଲାକୁ ବାଦ ଦେଲେ ବଳକା ହେଉଛି ସକ୍ରିୟ ମାମଲା । ଆଉ ଏହି ସକ୍ରିୟ କରୋନା ମାମଲା ସଂଖ୍ୟାରେ ଭାରତ ଏବେ ଅଗକୁ ଆଗକୁ ବଢୁଛି ।

ୱାଲ୍ଡୋମିଟରର ତଥ୍ୟ ଅନୁସାରେ ମଙ୍ଗଳବାର ଅପରାହ୍ଣ ସୁଦ୍ଧା ଆମେରିକାରେ ପାଖାପାଖି ୧୧ ଲକ୍ଷ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ତାପଛକୁ ରହିଛନ୍ତି ବ୍ରିଟେନ୍, ଋଷିଆ, ଫ୍ରାନ୍ସ , ବ୍ରାଜିଲ, ଇଟାଲୀ ଓ ସ୍ପେନ୍ ଭଳି ଦେଶ । ୪୬ ହଜାରରୁ ଅଧିକ ଆକ୍ରାନ୍ତ ସହ ଭାରତ ଅଷ୍ଟମ ସ୍ଥାନରେ ରହିଛି । ଭାରତ ତଳକୁ ରହିଛି ପେରୁ । ଏହି ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୯ ହଜାର ଥିବା ବେଳେ ପାଖାପାଖି ୪୫ ହଜାର ସକ୍ରିୟ କରୋନା ମାମଲା ରହିଛି । ମୋଟ କରୋନା ଆକ୍ରାନ୍ତ ସଂଖ୍ୟାରେ ଜର୍ମାନୀ, ଇରାନ ଏବଂ କାନାଡା ଭଳି ଦେଶ ଭାରତଠାରୁ ଉପରେ ଥିବା ବେଳେ ସକ୍ରିୟ ମାମଲାରେ କିନ୍ତୁ ଭାରତ ତଳେ ଅଛନ୍ତି ।

ଭୂତାଣୁ ସଂକ୍ରମଣରେ ସୋମବାର ଭାରତ ନୂଆ ରେକର୍ଡ କରିଛି । ଗୋଟିଏ ଦିନରେ ୪ ହଜାରରୁ ଅଧିକ ଆକ୍ତାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଶ୍ୱାସନାର ବିଷୟ ହେଲା ଯେ, ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଉଛି । ବର୍ତମାନ ଭାରତରେ ୩୧.୧୫ ପ୍ରତିଶତ ହାରରେ କରୋନା ଆକ୍ରାନ୍ତ ସୁସ୍ଥ ହେବାରେ ଲାଗିଛନ୍ତି । ଏଭଳି ସ୍ଥିତିରେ ଭୟଭୀତ ନହୋଇ ଠିକ ସମୟରେ ଚିକିତ୍ସା କରାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛି ।