ରାଜ୍ୟରେ ସର୍ବକାଳୀନ ଅଲୋଡା ରେକର୍ଡ । ଗତ ୨୪ ଘଂଟାରେ ୧୨ ହଜାର ୨୩୮ ପଜିଟିଭ ଚିହ୍ନଟ, ୧୯ ମୃତ ।

282

କନକ ବ୍ୟୁରୋ : ଦୈନିକ ସଂକ୍ରମଣରେ ଆଉ ଏକ ଅଲୋଡ଼ା ରେକର୍ଡ । ୨୪ ଘଂଟାରେ ରାଜ୍ୟରେ ୧୨,୨୩୮ ନୂଆ ମାମଲା । ପ୍ରତିଦିନ ବଦଳୁଛି ରାଜ୍ୟର କରୋନା ମ୍ୟାପ୍ । ରେଡ୍ ଜୋନରେ ଥିବା ୨୩ ଜିଲ୍ଲାରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ତେବେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ର ସ୍ଥିତି ସବୁଠୁ ଖରାପ ରହିଛି । ଏହା ତଳକୁ ରହିଛି କଟକ ଓ ବରଗଡ଼ ଜିଲ୍ଲା । ଆଜି ଦୈନିକ ସଂକ୍ରମଣରେ ଖୋର୍ଦ୍ଧାକୁ ଟପିଯାଇଛି ସୁନ୍ଦରଗଡ଼ । ଗୋଟିଏ ଦିନରେ ସୁନ୍ଦରଗଡ଼ରେ ୨୦୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ଚିହ୍ନଟ ହୋଇଛି ୧୮୨୮ ନୂଆ ମାମଲା ।

ଗତ ୭ ଦିନରେ ପଜିଟିଭିଟି ହାର ମଧ୍ୟ ବେଶ ଅଧିକ ରହିଛି । ସପ୍ତାହକ ମଧ୍ୟରେ ୩ ଥର ୧୦ ହଜାର ଉପରେ ଦୈନିକ ମାମଲା ଚିହ୍ନଟ ହୋଇଛି । ଆଉ ଦିନକୁ ଦିନ ବଢ଼ୁଛି ସଂକ୍ରମଣ ହାର । ଟେଷ୍ଟ ଯେତିକି ଅଧିକ ହେଉଛି, ସେତିକି ଅଧିକ ପଜିଟିଭ୍ ମାମଲା ଆସୁଛି । ଗତ ୨୪ ଘଂଟାରେ ୫୦ ହଜାର ୭୯୯ କରୋନା ପରୀକ୍ଷା କରାଯାଇଥିବା ବେଳେ ୧୨,୨୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ୨୪.୦୯ ପ୍ରତିଶତ ରହିଛି । ଅର୍ଥାତ୍ ପ୍ରତି ୪ ଜଣ କରୋନା ପରୀକ୍ଷା କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ପ୍ରାୟ ଜଣେ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡିଛି ।

ଓଡ଼ିଶା କରୋନା ମିଟର
ତାରିଖ        ଟେଷ୍ଟ          ପଜିଟିଭ୍         ପଜିଟିଭିଟି ହାର
ମେ’ ୧ :   ୪୭,୪୬୨       ୧୦,୪୧୩           ୨୧.୯୪%
ମେ’ ୨ :   ୪୬,୫୬୦       ୮,୦୧୫             ୧୭.୨୧%
ମେ’ ୩ :  ୪୬,୬୪୩      ୮,୯୧୪             ୧୯.୧୧%
ମେ’ ୪ :   ୪୩,୬୮୨      ୮,୨୧୬              ୧୮.୮୦%
ମେ’ ୫ :   ୪୮,୧୦୧        ୯,୮୮୯             ୨୦.୫୬%
ମେ’ ୬ :   ୪୮,୩୧୪      ୧୦,୫୨୧            ୨୧.୭୮%
ମେ’ ୭ :   ୫୦,୭୯୯       ୧୨,୨୩୮           ୨୪.୦୯%