ଭିତରକନିକାରେ ୧୨୨ଟି କୁମ୍ଭୀର ବସା ଚିହ୍ନଟ। ଜଙ୍ଗଲରେ ବୁଲି ବୁଲି ବଉଳା କୁମ୍ଭୀର ବସା ଚିହ୍ନଟ କଲେ ବନ କର୍ମଚାରୀ

172

କନକ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୧୨୨ଟି କୁମ୍ଭୀର ବସା ଚିହ୍ନଟ ହୋଇଛି । ଜୁନ ପ୍ରଥମ ସପ୍ତାହରୁ ବନ କର୍ମଚାରୀ ଜଙ୍ଗଲ ମଧ୍ୟରେ ବୁଲିବୁଲି କୁମ୍ଭୀର ବସା ଚିହ୍ନଟ କରିବା ସହ ଜିପିଏସ୍ ଲୋକେସେନରେ ଫଟୋ ଉଠାଇଥାନ୍ତି । ଚଳିତ ବର୍ଷ ଚିହ୍ନଟ ହୋଇଥିବା ୧୨୨ଟି କୁମ୍ଭୀର ବସା ମଧ୍ୟରୁ କନିକା ରେଞ୍ଜରେ ୧୦୭ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ରାଜନଗର ରେଞ୍ଜରେ ୧୨ଟି, ଗହୀରମଥା ରେଞ୍ଜ ଅଂଚଳରେ ଗୋଟିଏ, ମହାକାଳପଡା ରେଂଜରେ ୨ଟି କୁମ୍ଭୀର ବସା ଚିହ୍ନଟ ହୋଇଛି । ଏଥିସହ ଜୁଆର ପାଣି ମାଡି ଯାଇଥିବା ଥାନାପତି ନିକଟରୁ ଏକ କୁମ୍ଭୀର ବସାରୁ ମିଳିଥିବା ୪୨ଟି ଅଣ୍ଡାରୁ କୁତ୍ରିମ ଉପାୟରେ ଛୁଆ ଫୁଟାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଡାଙ୍ଗମାଳ ସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଛୁଆ ଫୁଟାଇବା ପାଇଁ ପକ୍ରିୟା ଆରମ୍ଭ ହୋଇଛି । ପ୍ରତିବର୍ଷ ମେ’ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏଁ ୩ମାସ ଧରି ବଉଳା କୁମ୍ଭୀରଙ୍କ ପ୍ରଜନନ ପକ୍ରିୟା ଜାରି ରହିଥାଏ । ମାଆ କୁମ୍ଭୀର ଅଣ୍ଡା ଦେବା ପାଇଁ ନିରାପଦ ସ୍ଥାନ ଖୋଜିଥାଏ । ନାଳ ଠୁଁ ଉଚ୍ଚା ସ୍ଥାନରେ ବସା କରିଥାଏ । ଖରଖରି ପତ୍ର ଓ କାଠି କୁଟାକୁ ସଂଗ୍ରହ କରି ୨ ଫୁଟ ଉଚ୍ଚର ଗଦା କରିଥାଏ । ଗଦା ଉପରେ କୁମ୍ଭୀର ଅଣ୍ଡା ଦେବା ପରେ ତା’ ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡାଇ ଦେଇଥାଏ । ପ୍ରତ୍ୟେକ କୁମ୍ଭୀର ୪୦ରୁ ୬୦ଟି ଅଣ୍ଡା ଦେଇଥାଏ । ଅଣ୍ଡା ଦେବାର ୭୫ ଦିନ ମଧ୍ୟରେ ଛୁଆ ବାହାରିଥାଏ । କୁମ୍ଭୀର ଅଣ୍ଡା ଦେବା ପରେ ବସା ଉପରେ, ବସା ପାଖରେ ୫/୧୦ଫୁଟ ଦୂରତା ମଧ୍ୟରେ ବସାକୁ ଜଗି ରହିଥାଏ । ଖାସ ଏହି କାରଣ ପାଇଁ ବନବିଭାଗ ପକ୍ଷରୁ ପ୍ରତିବର୍ଷ ମେ’ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏଁ ୩ମାସ ଧରି ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଏ ।