ଆମେରିକାରେ କରୋନା ସ୍ଥିତି ସବୁଠୁ ସାଙ୍ଘାତିକ: ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୮୮ହଜାର ଟପିଲା, ୬୮ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି; ଆଗକୁ ମୃତକଙ୍କ ସଂଖ୍ୟା ୧ଲକ୍ଷ ଟପିବା ନେଇ ଆଶଙ୍କା କଲେ ଟ୍ରମ୍ପ

591

କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ସାରା ବିଶ୍ୱର ଚିନ୍ତା ବଢାଇ ଥିବା ବେଳେ ଆମେରିକାର ସ୍ଥିତି ସବୁଠୁ ଅଧିକ ଖରାପ ରହିଛି । ଶିକ୍ଷା, ସ୍ୱାସ୍ଥ୍ର ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଗତିଶୀଳ କୁହାଯାଉଥିବା ଆମେରିକା କରୋନା ସାମ୍ନାରେ ହାର୍ ମାରିଛି । ଏହାରି ଭିତରେ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରତିଶେଧକ ଟୀକା ପ୍ରସ୍ତୁତ ହୋଇଯିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

କରୋନା ଭୂତାଣୁ ସଂକ୍ରମଣରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିଶ୍ୱର ସବୁଠାରୁ ବିତଶାଳୀ ଓ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । କରୋନା ଭୂତାଣୁ ସଂକ୍ରମଣର ଚିକିତ୍ସା ପାଇଁ କୌଣସି ଔଷଧ ବା ପ୍ରତିଶେଧକ ଟୀକା ବାହାରି ନଥିବା ବେଳେ କେବଳ ସାମାଜିକ ଦୂରତା ବଜାୟ ରଖି ସଂକ୍ରମଣକୁ ନିୟନ୍ତ୍ରିତ କରାଯାଉଛି । ଏହାରି ଭିତରେ ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା ପ୍ରତିଶେଧକ ଟୀକା ପ୍ରସ୍ତୁତ କରିବ ବୋଲି କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅର୍ନ୍ତଜାତୀୟ ନ୍ୟୁଜ ଚ୍ୟାନେଲ ଫକ୍ସ ନ୍ୟୁଜର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ପ୍ରତିକ୍ର୍ରିୟା ରଖିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।

ଆମେରିକାରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୮୮ହଜାର ଟପିଛି । ଏଯାଏ ୬୮ହଜାରରୁ ଅଧିକ ପ୍ରାଣ ହରାଇଲେଣି । ଆଗକୁ ମୃତକଙ୍କ ସଂଖ୍ୟା ୧ଲକ୍ଷ ଟପିପାରେ ବୋଲି ଆଶଙ୍କା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଆମେରିକାରେ ୭୦ ହଜାର ଲୋକ କରୋନାରେ ପ୍ରାଣ ହରାଇପାରନ୍ତି ବୋଲି ପୂର୍ବରୁ ଟ୍ରମ୍ପ ମତ ରଖିଥିଲେ । ଏବେ କହିଛନ୍ତି ଆମେରିକା ୧ ଲକ୍ଷ ମୃତ୍ୟୁ ଦେଖିପାରେ । ଟ୍ରମ୍ପ କହିଛନ୍ତି, ଲୋକଙ୍କ ଜୀବନ ରକ୍ଷା ପାଇଁ ସରକାର, ସବୁ ପ୍ରକାରର ଉଦ୍ୟମ କରୁଛନ୍ତି । ଏବଂ ଖୁବଶୀଘ୍ର ଟିକା ପ୍ରସ୍ତୁତ ହୋଇଯିବ ।

କରୋନା ଭୂତାଣୁର ପ୍ରତିଶେଧକ ଟୀକା ପ୍ରସ୍ତୁତ କରିବା ପାଇଁ ଆମେରିକା ବୈଜ୍ଞାନିକମାନେ ଗବେଷଣାକୁ ତୀବ୍ର କରିଛନ୍ତି । ଏପରି ସ୍ଥିତିରେ କେବଳ ଔଷଧ ବା ପ୍ରତିଶେଧକ ଟୀକା ହିଁ ଏହି ସଂକ୍ରମଣ ରୋକିବାରେ ସହାୟକ ହୋଇପାରିବ ।