ମହାରାଷ୍ଟ୍ରରୁ ଫେରିଲେ ପ୍ରବାସୀ । ୧୨ଶହ ପ୍ରବାସୀଙ୍କୁ ନେଇ ଟିଟିଲାଗଡ ପହଞ୍ଚିଲା ସ୍ୱତନ୍ତ୍ର ଟ୍ରେନ, ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ପରେ ନିଆଗଲା କ୍ୱାରେଣ୍ଟିନ୍ ସେଣ୍ଟର ।

831

କନକ ବ୍ୟୁରୋ: ଆଜି ବଲାଙ୍ଗିରକୁ ଫେରିଛନ୍ତି ପ୍ରବାସୀ । ମହାରାଷ୍ଟ୍ର ପନଭେଲରୁ ଆସିଥିବା ସ୍ୱତନ୍ତ୍ର ଟ୍ରେନ ଟିଟିଲାଗଡ ଷ୍ଟେସନରେ ପହଂଚିଛି । ଏଥିରେ ପ୍ରାୟ ୧୨ ଶହ ଓଡ଼ିଆ ଫେରିଛନ୍ତି । ଷ୍ଟେସନରେ ପହଂଚିବା ପରେ ପ୍ରଥମେ ତାଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ସେଠାରୁ ବିଭିନ୍ନ ସ୍ଥାନକୁ ଉଦ୍ଦିଷ୍ଟ ବସରେ ସେମାନଙ୍କୁ ପଠାଯାଇଛି ।

ତେବେ ପ୍ରବାସୀ ସ୍ୱତନ୍ତ୍ର ଟ୍ରେନରେ ଆସିଥିବାରୁ ଏହାକୁ ନଜରରେ ରଖି ଟିଟିଲାଗଡ଼ରେ ଜାରି କରାଯାଇଛି ୧୫ ଘଂଟିଆ କର୍ଫ୍ୟୁ । ଏ ନେଇ ସୂଚନା ଦେଇଛନ୍ତି, ଟିଟିଲାଗଡ଼ ଉପଜିଲ୍ଲାପାଳ ସୁଧାକର ନାୟକ । ଆଜି ସକାଳ ୯ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ବଲବତର ରହିବ । ଅତ୍ୟାବଶ୍ୟକ ସେବା ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପକୁ ଛାଡି ଦେଲେ ଅନ୍ୟ ପ୍ରତିଷ୍ଠାନ ବନ୍ଦ ରହିବ । ଲୋକଙ୍କ ଯିବାଆସିବା ଉପରେ କଟକଣା ଲଗାଯାଇଛି ।

ସେପଟେ ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୫ଟି ଟ୍ରେନରେ ପ୍ରାୟ ୬ ହଜାର ପ୍ରବାସୀ ଓଡିଶାରେ ପହଂଚିବେ । ଅହମଦାବାଦରୁ ୨ଟି ଟ୍ରେନ ଛାଡିଥିବା ବେଳେ ଗୋଟିଏ ମୁମ୍ବାଇରୁ ଆସି ପହଂଚିଛି । ଅନ୍ୟଟି ଚେନ୍ନାଇରୁ ବାହାରି ସାରିଥିବା ବେଳେ ଆଉ ଏକ ଟ୍ରେନ ସୁରତରୁ ବାହାରିଛି ।