କନକ ବ୍ୟୁରୋ: ଯେକୌଣସି ସାମଗ୍ରୀକୁ ଆମେ ଅଦରକାରୀ ଭାବିବା ନାହିଁ । ଅଦରକାରୀ ସାମଗ୍ରୀରୁ ମଧ୍ୟ ସୁନ୍ଦର ସୁନ୍ଦର ଜିନିଷ ନିର୍ମାଣ କରିହେବ । ଏହା ପ୍ରମାଣିତ କରିଛନ୍ତି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରମାନେ । ପୂର୍ବରୁ ଲୁହା ସ୍କ୍ରାପରେ ଜିରଫ,ପ୍ରେଡ଼ିଏକ୍ଟର ନିର୍ମାଣ କରିଥିବା ବେଳେ ଏବେ ନିର୍ମାଣ କରିଛନ୍ତି ୭୦ ଫୁଟ ଉଚ୍ଚର ଏକ ଗିଟାର ।
୭୦ ଫୁଟର ଗିଟାର । ଏହାକୁ ତିଆରି ଲାଗିଛି ୩ ମାସ ସମୟ । ଭଙ୍ଗା ଲୁହାକୁ ଯୋଡି ଏହି ବିରାଟ ଗିଟାର ତିଆରି କରିଛନ୍ତି ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ରର ୫ଟି ବିଭାଗର ୧୨୦ ଜଣ ଛାତ୍ର । ଭଙ୍ଗା ଲୁହାକୁ ନଷ୍ଟ ନକରି ସେଥିରୁ କିଛି ନୂଆ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ର । ଛାତ୍ରଛାତ୍ରୀ ନିଜର ପାଠ ପଢା ସାରିବା ପରେ ଏହି ଗିଟାର ଟି ତିଆରି କରିଛନ୍ତି । ଏମିତି ତିଆରି କରିବା ଦ୍ୱାରା ସେମାନଙ୍କ ଦକ୍ଷତା ବଢିବ ବୋଲି ସେମାନେ ଆଶା ରଖିଛନ୍ତି ।
ଅଦରକାରୀ ସାମଗ୍ରୀରେ ଗିଟାର ଭଳି ଆହୁରି ଅନେକ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରିଛନ୍ତି ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ର । ଶିକ୍ଷକଙ୍କ ତାଲିମ୍ କ୍ରମେ ଛାତ୍ରମାନେ ମାଛ, ଜିରାଫ, ରୋବଟ୍, ଝିଟିପିଟି ନିର୍ମାଣ କରିଛନ୍ତି । ଯାହା ଏବେ ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ରର ଶୋଭାବର୍ଦ୍ଧନ କରୁଛି । ଭଙ୍ଗା ଲୁହାରେ ତିଆରି ହୋଇଥିବା ୭୦ ଫୁଟର ଗିଟାର ଗିନିଜ ବୁକରେ ସ୍ଥାନ ପାଇବ ବୋଲି ଆଶା ରଖିଛନ୍ତି ଛାତ୍ର ଓ ଶିକ୍ଷକ । ତେବେ ଏହିଭଳି ବିଭିନ୍ନ ସାମଗ୍ରୀ ନିର୍ମାଣ କରି ଅନୁଷ୍ଠାନରେ ଏକ ଛୋଟ ଓପନ ମ୍ୟୁଜିୟମ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।