କନକ ବ୍ୟୁରୋ : ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଭୁବ‌ନେଶ୍ୱର। କଥାକଥାକେ ଗୁଳି ଫୁଟୁଛି, ଖଣ୍ଡାକାତି ବୁଲୁଛି। ଦିନ ଦି’ପହର ହେଉ କି ରାତି, ଜନଗହଳିପୂର୍ଣ୍ଣ ସ୍ଥାନ ହେଉ ଅବା ଶୂନ୍‌ଶାନ୍‌ ଜାଗା; ଅପରାଧ ଘଟାଇବାକୁ ତିଳେ ମାତ୍ର ଭୟ କିମ୍ବା ସଂକୋଚ କରୁନାହାନ୍ତି ଅପରାଧୀ। ଗତ ୩ ବର୍ଷ (୨୦୧୯, ୨୦, ୨୧)ରେ ରାଜଧାନୀରେ ୧୨୦ ଜଣଙ୍କୁ ହତ୍ୟା କରାଯାଇଛି। କମିସନରେଟ୍‌ ପୁଲିସ ପକ୍ଷରୁ ପ୍ରକାଶ ପାଇଥିବା ହତ୍ୟା ଅପରାଧ ସମୀକ୍ଷା ରିପୋର୍ଟରୁ ଏଭଳି ଉଦ୍‌ବେଗଜନିତ ତଥ୍ୟ ସାମ୍ନାକୁ ଆସିଛି।

Advertisment

ରିପୋର୍ଟରେ ଗତ ୩ ବର୍ଷର ଏକ ତୁଳନାତ୍ମକ ରିପୋର୍ଟ ପ୍ରକାଶ ପାଇଛି। ବର୍ଷ ୨୦୧୯ରେ ରାଜଧାନୀରେ ମୋଟ ୩୯ ହତ୍ୟାକାଣ୍ଡ ଘଟିଥିବା ବେଳେ ୨୦୨୦ରେ ୪୯ ଓ ୨୦୨୧‌‌‌ରେ ଏଯାବତ୍‌ ୩୨ଟି ମୁଣ୍ଡ ଗଡ଼ିଛି। ସର୍ବାଧିକ ହତ୍ୟା ମାମଲା ପଞ୍ଜୀକୃତ ହେବାରେ ଖଣ୍ଡଗିରି ଥାନା ଆଗରେ ରହିଛି। ଏହି ଥାନାରେ ୨୦୧୯ରେ ୫ଟି, ୨୦୨୦ରେ ୯ ଓ ୨୦୨୧ ଗୋଟିଏ ହତ୍ୟା ମାମଲା ରୁଜୁ ହୋଇଛି। ଏହା ପଛକୁ ରହିଛି ନୂଆପଲ୍ଲୀ ଥାନା। ୨୦୧୯ରେ ୪ଟି ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ୮ଟି ଓ ୨୦୨୧ରେ ଗୋଟିଏ ହତ୍ୟାକାଣ୍ଡ ଘଟିଛି। ତା’ ପଛକୁ ରହିଛି ମଞ୍ଚେଶ୍ବର ଥାନା। ୨୦୧୯ରେ ୩ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ୨୦୨୦ରେ ୫ଟି ଓ ୨୦୨୧ରେ ୩ଟି ଘଟିଛି। ସେହିପରି ସହିଦନଗର ଥାନାରେ ୨୦୧୯ରେ ୫ଟି, ୨୦୨୦ରେ ୩ଟି ଓ ୨୦୨୧ରେ ୨ଟି ହତ୍ୟାକାଣ୍ଡ ଘଟିଛି।

ତେବେ ମହିଳା ଓ ବଡ଼ଗଡ଼ ଥାନାରେ ଗତ ୩ ବର୍ଷ ଭିତରେ ଗୋଟିଏ ବି ହତ୍ୟା ମାମଲା ରୁଜୁ ହୋଇନାହିଁ। କ୍ୟାପିଟାଲ, ଏୟାରପୋର୍ଟ ଓ ନନ୍ଦନକାନନ ଥାନାରେ ୩ ବର୍ଷ ଭିତରେ ମାତ୍ର ଗୋଟିଏ ଲେଖାଏଁ ହତ୍ୟା ମାମଲା ରୁଜୁ ହୋଇଛି।