କର୍ଣ୍ଣାଟକରେ କଳାଟଙ୍କାର ସୁଅ ! ନିର୍ବାଚନ ପୂର୍ବରୁ ୧୨୦ କୋଟି ଟଙ୍କାର ସାମଗ୍ରୀ ଜବତ, କେବଳ ୨୩.୩୬ କୋଟିର ଜବତ ହୋଇଛି ମଦ

28

କର୍ଣ୍ଣାଟକରେ କଳା ଟଙ୍କାର ସୁଅ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଜୋର୍ ଧରୁଛି ଟଙ୍କାର ଖେଳ । ନିର୍ବାଚନ ଆୟୋଗର ଅଧିକାରୀମାନେ କର୍ଣ୍ଣାଟକରୁ ୧୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଟଙ୍କା, ସୁନା ଓ ମଦ ଜବତ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ତଲାସକାରୀ ଦଳ ୬୭.୨୭ କୋଟିର ନଗଦ ଅର୍ଥ ଜବତ କରିଛି । ୪୩.୧୭ କୋଟିର ଟଙ୍କାର ସୁନା ଜବତ କରିଛି ଏହି ଟିମ୍ । ଏହାସହ ୧୮ କୋଟିରୁ ଅଧିକ ମୂଲ୍ୟର ଗାଡ଼ି, ଶାଢ଼ି, ଲାପଟପ୍ ଜବତ ହୋଇଛି ।

୨୩.୩୬ କୋଟି ଟଙ୍କାର ମଦ ମଧ୍ୟ ଜବତ କରିଛି ନିର୍ବାଚନ ଆୟାଗର ତଲାସକାରୀ ଦଳ । ନିର୍ବାଚନ ଅଧିକାରୀଙ୍କ କହିବା ଅନୁଯାୟୀ ପ୍ରଥମେ ୧୫୨.୭୮ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଥିଲା । ତଦନ୍ତ ପରେ ଏଥିରୁ ୩୨.୫୪ କୋଟି ଟଙ୍କା ଫେରାଇ ଦିଆଯାଇଛି । କର୍ଣ୍ଣାଟକ ପୁଲିସ୍, ଆୟକର ବିଭାଗ ଓ ଅବକାରୀ ବିଭାଗକୁ ନେଇ ସ୍ୱତନ୍ତ୍ର ତଲାସକାରୀ ଦଳ ଗଠନ କରାଯାଇଛି । ଆସନ୍ତା ୧୨ ତାରିଖରେ କର୍ଣ୍ଣାଟକ ନିର୍ବାଚନ ହେଉଥିବା ବେଳେ ୧୫ ତାରିଖରେ ପ୍ରକାଶ ପାଇବ ଫଳାଫଳ ।

ଅନ୍ୟପଟେ କର୍ଣ୍ଣାଟକ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ଜୋରଦାର ହେଉଛି ବୟାନବାଜୀ । ଗତକାଲି ତୁମାକୁରୁରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ସ୍ୱାଧିନ ହେବା ପରଠାରୁ କଂଗ୍ରେସ ଗରିବ, ଗରିବ ମାଳା ଜପି ଲୋକଙ୍କୁ ଭୁଆଁ ବୁଲାଇ ଆସିଛି ବୋଲି ମୋଦି ଅଭିଯୋଗ କରିଛନ୍ତି । ନିର୍ବାଚନ ଜିତିବା ପାଇଁ ଗରିବଙ୍କ ନାଁରେ ଭୋଟ୍ ମାଗିଥିବା କଂଗ୍ରେସ ନିର୍ବାଚନ ଜିତିଲା ପରେ ଲୋକଙ୍କୁ ଭୁଲି ଯାଏ ବୋଲି ଅଭିଯୋଗ କରିଛନ୍ତି । ସେହିପରି ମୋଦି ଅଭିଯୋଗ କରି କହିଛନ୍ତି, କଂଗ୍ରେସ ଇଂରେଜମାନେ ଛାଡ଼ି ଯାଇଥିବା ବାଟକୁ ଆପଣାଇଛି । ଦେଶକୁ ଜାତି, ଧର୍ମ ନାଁରେ ବାଂଟି ଶାସନରେ ରହିବାକୁ ଉଦ୍ୟମ କରୁଛି । ଯାହା ଲୋକ ଠିକ୍ ବୁଝି ସାରିଲେଣି ବୋଲି ମୋଦି କହିଛନ୍ତି ।