ସାହସୀ ଅବିନାଶ: ପବନ ହେବାରୁ ଚିଲିକା ଗର୍ଭରେ ଭାରସାମ୍ୟ ହରାଇ ବୁଡି ଯାଉଥିଲା ଡଙ୍ଗା. ଚିଲିକା ଛାତିକୁ ଚିରି ମା’ ଓ ଭାଇକୁ ମରଣ ମୁହଁରୁ ବଞ୍ଚାଇ ଆଣିଲା ୧୨ ବର୍ଷର ବାଳକ ।

4,701

କନକ ବ୍ୟୁରୋ: ଆଖି ପାଉନଥିବା ଚିଲିକା ଗର୍ଭ ଆଉ କାଳରୂପ ଧାରଣ କରିଥିବା କଳାଗୁମର ପାଣିରେ ରବିବାର ସନ୍ଧ୍ୟାରେ ଯେଉଁ ଡଙ୍ଗା ବୁଡିଥିଲା ସେଥିରେ ଥିଲା ୧୨ ବର୍ଷର ଅବିନାଶ ଭୁଜବଳ । ନିଜ ଆଖି ସାମ୍ନାରେ ମା ଓ ଭାଇ ବୁଡିଯାଉଥିବା ଦେଖି ୧୨ ବର୍ଷୀୟ ଅବିନାଶ ହାର ନମାନି ପାଣିର ଛାତି ଚିରି ଯେଉଁ ସାହାସ ଦେଖାଇଥିଲା । ତାହାକୁ ନେଇ ଅବିନାଶକୁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ ।

ଘଟଣାଟି ଏପରି ଥିଲାକି, ରବିବାର ସନ୍ଧ୍ୟାରେ କାଳିଜାଇରୁ ଫେରିବା ବାଟରେ ୨୭ ଜଣ ଯାତ୍ରୀଙ୍କୁ ନେଇ ଫେରୁଥିଲା । ହଠାତ୍ ପବନ ହେବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ପଡିଥିଲା । ଆଉ ଡଙ୍ଗା ଭିତରେ ପାଣି ପଶିବାରେ ଲାଗିଥିଲା । ଜୀବନ ବିକଳରେ ସମସ୍ତେ ନିଜ ନିଜ ବଂଚାଇବାକୁ ଲାଗିପଡିଥିଲେ । ପାଣିରେ ଭାସୁଥିବା ସାମାନ୍ୟ ଏକ ବାଉଁଶ ସାହାଯ୍ୟରେ ନଦୀରୁ ନିଜ ମା ଓ ଭାଇଙ୍କ ଜୀବନ ବଞ୍ଚାଇଛି । ଏପରିକି ପହଁରା ଜାଣିନଥିବା ଆଉ ୨ ଜଣଙ୍କୁ ମଧ୍ୟ ବାଉଁଶ ସାହାଯ୍ୟରେ ବଂଚାଇପାରିଛି ଏହି ୧୨ ବର୍ଷର ବାଳକ ।

ସେପଟେ ଅନ୍ୟଯାତ୍ରୀମାନଙ୍କୁ ଦେବଦୂତ ସାଜି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ କିଛି ମତ୍ସ୍ୟଜୀବୀ । ତେବେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ବିନା ଲାଇସେନ୍ସ ପ୍ରାପ୍ତ ଡଙ୍ଗା ଗୁଡିକ ଉପରେ କଡା ନଜର ରଖିଛି ଜିଲ୍ଲାପ୍ରଶାସନ । ତେବେ ପୂର୍ବରୁ ମଧ୍ୟ ଅନେକଥର ଡଙ୍ଗାବୁଡ଼ି ଘଟଣା ଚିଲିକାରୁ ଆସିଛି ହେଲେ କାହିଁକି ବଡ଼ ବିପଦ ପୂର୍ବରୁ ସତର୍କ ହେଉନାହାନ୍ତି ଜିଲ୍ଲା ପ୍ରଶାସନ? ଏବଂ କ’ଣ ପାଇଁ ବିନା ଲାଇସେନ୍ସପ୍ରାପ୍ତ ଡଙ୍ଗା ଗୁଡ଼ିକ ଯାତ୍ରୀଙ୍କୁ ନେଇ ଚିଲିକା ଭିତରକୁ ଯାଉଛନ୍ତି?