କରୋନା ପରେ କେରଳରେ ବ୍ୟାପୁଛି ନିପ୍ପା ଭୂତାଣୁ, ନାବାଳକର ମୃତ୍ୟୁ

79

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣ ଭିତରେ ପୁଣି ଏକ ଭୂତାଣୁ କାୟା ବିସ୍ତାର କରୁଥିବା ନଜରକୁ ଆସିଛି । କେରଳରେ ନିପ୍ପା ଭୂତାଣୁ ସଂକ୍ରମଣରେ ଜଣେ ୧୨ ବର୍ଷର ପିଲାର ମୃତ୍ୟୁ ହୋଇଛି । ପିଲାଟି ନିପ୍ପା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଛି । ପିଲାଟିର ନମୂନା ପରୀକ୍ଷଣ ପାଇଁ ପୁଣେ ସ୍ଥିତ ଏନଆଇବିକୁ ପଠାଯାଇଥିଲା । ସେଠିକାର ରିପୋର୍ଟରେ ନିପ୍ପା ଭୂତାଣୁ ଦ୍ୱାରା ପିଲାଟି ସଂକ୍ରମିତ ଥିବା କୁହାଯାଇଛି । ସେପଟେ କେନ୍ଦ୍ର ସରକାର ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ଏକ ୫ ଜଣିଆ ଟିମ୍ କେରଳ ପଠାଇଛନ୍ତି । ସେମାନେ ଆଜି କେରଳ ପହଂଚିବେ ବୋଲି କୁହାଯାଇଛି । ଏହି ଟିମ୍ ରାଜ୍ୟକୁ ଟେକ୍ନିକାଲ ସହାୟତା ପ୍ରଦାନ କରିବେ । କୁହାଯାଇଛି କି ବାଦୁଡି ଯେଉଁ ଫଳକୁ ଖାଇଥାଏ ସେହି ଫଳରେ ତାର ଲାଳ ଲାଗିଥାଏ । ଏହି ଫଳକୁ ଯଦି କେହି ଖାଉଛନ୍ତି ତେବେ ତାଙ୍କ ଠାରେ ନିପ୍ପା ଭୂତାଣୁ ସଂକ୍ରମଣ ହେବାର ଆଶଂକା ରହିଛି ।

ଅନ୍ୟପଟେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିଣା ଗର୍ଗ କହିଛନ୍ତି କି ପିଲାଟିର ମୃତ୍ୟୁ ଅତି ଦୁଖ ଦାୟକ, ଏହାସହ ପିଲାଟି କାହା କାହା ସଂପର୍ସରେ ଆସିଛି ତାହା ଉପରେ ଏବେ ଅନୁସନ୍ଧାନ ଚାଲିଛି । ଏହାସହ ସେମାନଙ୍କୁ ଖୋଜି ପୃଥକବାସରେ ରଖିବାକୁ ପ୍ରଶାସନ ଚେଷ୍ଟା ଚଳାଇଥିବା କଥା ବିଣା ଗର୍ଗ କହିଛନ୍ତି ।