କୁନି ଝିଅକୁ କଷ୍ଟ ଦେଉଛି ବ୍ରେନ୍ କ୍ୟାନସର । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, କଅଁଳ ଜୀବନକୁ କଲବଲ କରୁଛି ରୋଗ ଯନ୍ତ୍ରଣା ।

159

କନକ ବ୍ୟୁରୋ : ମା’ ମୁଁ ପାଠ ପଢି ଡାକ୍ତର ହେବି । ରୋଗୀ ସେବା କରିବି । ଝିଅର ଏମିତି କଥା ଶୁଣି ମାଆ ଆଖିରୁ ଅହରହ ଝରୁଛି ଲୁହ । ଜୀବନକୁ ନେଇ ଏମିତି ଅନେକ ସୁନେଲି ସ୍ୱପ୍ନ ଦେଖିଥିବା ୧୨ ବର୍ଷର ଝିଅ ଲକ୍ଷ୍ମିପ୍ରିୟା ଏବେ କ୍ୟାନସରରେ ପୀଡିତ । ଜୀବନରେ ଡାକ୍ତର ହୋଇ ରୋଗୀ ସେବା କରିବାକୁ ସ୍ୱପ୍ନ ଦେଖିଥିବା ଝିଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଆସନ୍ତୁ ଜାଣିବା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ କଷ୍ଟଦାୟକ କାହାଣୀ ।

ଲକ୍ଷ୍ୟହୀନ ଲକ୍ଷ୍ମୀପ୍ରିୟାଙ୍କ ଜୀବନ । ଦୁର୍ବଳ ହେଉଛି ଶରୀର, ଦୂରେଇ ଯାଉଛି ଡାକ୍ତର ସ୍ୱପ୍ନ । ରୋଗ ଯନ୍ତ୍ରଣା ସାଙ୍ଗକୁ ପରିବାରର ଆର୍ଥିକ ଅନଟନ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅତିଷ୍ଟ କରୁଛି । ଭବିଷ୍ୟତରେ ଡାକ୍ତର ହୋଇ ରୋଗୀଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିବା ଲକ୍ଷ୍ମୀପ୍ରିୟା ଆଜି କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସା ବାବଦକୁ ଅର୍ଥ ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛି ।

ବାପା ଉଦୟ ନାଥ, ରାଜ୍ୟ ବାହାରେ ଦାଦନ ଖଟି ପରିବାର ପେଟକୁ ଦାନା ଓ ଝିଅର ଔଷଧ ଖର୍ଚ୍ଚ ତୁଲାଉଛନ୍ତି । ମାଆ ମଞ୍ଜୁଲତା ଅହରହ ଝିଅର ସେବା କରି ଆସୁଛନ୍ତି । ପାଖରେ ଥିବା ସବୁ ସମ୍ବଳ ଖର୍ଚ୍ଚ କରି ଝିଅର ବ୍ରେନ ଟ୍ୟୁମର ଅପରେସନ୍ କରାଇଥିଲେ । ସେଥିରେ ସେ ସୁସ୍ଥ ହେବା ବଦଳରେ ଅଧିକ ଅସୁସ୍ଥ ହୋଇଗଲା । ଲକ୍ଷ୍ମୀପ୍ରିୟା ଏବେ ବ୍ରେନ କ୍ୟାନସରରେ ପୀଡିତ । ଏବେ ଆଉ ଗୋଟିଏ ଅପରେସନ୍ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ପୂର୍ବରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ପରିବାର ପାଖରେ ଆଉ ଟଙ୍କାଟିଏ ନାହିଁ । ତେଣୁ ଏହି ଅସହାୟ ପରିବାର ସରକାରୀ ଓ ବେସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ବାଳକାଟି ଗାଁର ଉଦୟ ନାଥ ଓ ମଞ୍ଜୁଲତା ନାଥଙ୍କର ୧୨ ବର୍ଷର ଝିଅ ଲକ୍ଷ୍ମିପ୍ରୟା ନାଥଙ୍କୁ ସହଯୋଗ କରନ୍ତୁ । ତାଙ୍କ ଡାକ୍ତର ସ୍ୱପ୍ନକୁ ସାକାର କରିବା ପାଇଁ ସହାୟତାର ହାତ ବଢାନ୍ତୁ । ଆସନ୍ତୁ କୁନି ଲକ୍ଷ୍ମୀପ୍ରିୟା ଜୀବନ ଡଙ୍ଗାରେ ଜଣେ ଜଣେ ନାଉରୀ ସାଜିବା ।

ଲକ୍ଷ୍ମୀପ୍ରିୟାଙ୍କୁ ସାହାଯ୍ୟ କରିବା ପାଇଁ….
ନାମ- ମଞ୍ଜୁଲତା ନାଥ (ମା’)
ଆକାଉଣ୍ଟ ନମ୍ବର – ୧୬୯୦୦୧୧୦୧୬୪୫୬୩ ୟୁକୋ ବ୍ୟାଙ୍କ
ଆଇଏଫଏସସି କୋର୍ଡ- ୟୁସିବିଏ ୦୦୦୧୬୯୦