୨୬/୧୧ ମୁମ୍ବାଇ ଆକ୍ରମଣକୁ ପୂରିଲା ୧୨ ବର୍ଷ । ଥରି ଉଠିଥିଲା ମାୟାନଗରୀ ମୁମ୍ବାଇ । ୧୦ ଆତଙ୍କବାଦୀ ରଚିଥିଲେ ଷଡଯନ୍ତ୍ର

146

କନକ ବ୍ୟୁରୋ : ଭୟର ଏମିତି ଏକ ସତ ଯାହାକୁ କେବେ ବି ଭୁଲି ପାରିବନି ଭାରତ । ୧୨ ବର୍ଷ କଣ ୧୦୦ ବର୍ଷ ବିତିଗଲେ ବି ୨୬/୧୧ ଆତଙ୍କୀ ଆକ୍ରମଣର ଭୟ ଦେଶବାସୀଙ୍କ ମନରୁ ଲିଭିବ ନାହିଁ । ନଭେମ୍ବର ୨୬ ତାରିଖ, ୨୦୦୮ । ସ୍ଥାନ ମୁମ୍ବାଇ । ରାତିର ନିରବତା ଭିତରେ ଯେତେବେଳେ ପୂରା ମୁମ୍ବାଇ ଶୋଇଯାଇଥିଲା, ସେତେବେଳେ ୧୦ ଜଣ ଆତଙ୍କୀ ରଚିଥିଲେ ବଡ ଷଡଯନ୍ତ୍ର । ସୈତାନଙ୍କ ଏହି ଷଡଯନ୍ତ୍ରରେ ରକ୍ତରଞ୍ଜିତ ହୋଇଥିଲା ମୁମ୍ବାଇ । ଆଉ ଏହି ଘଟଣାରେ ଥରି ଉଠିଥିଲା ସାରା ଦେଶ । ୬୦ ଘଣ୍ଟା ଧରି ମୁମ୍ବାଇରେ ଗର୍ଜନ କରିଥିଲା ଆତଙ୍କବାଦୀଙ୍କ ବନ୍ଧୁକ ।

ହୋଟେଲ ତାଜଠାରୁ ଆରମ୍ଭ କରି ହୋଟେଲ ଟ୍ରାଇଡେଂଟ ଯାଏଁ । ନରିମନ ହାଉସଠାରୁ ମୁମ୍ବାଇର ରାଜ ରାସ୍ତା ଯାଏଁ ସବୁଠି ଖେଳିଯାଇଥିଲା ଆତଙ୍କୀ ଭୟ । ଏହି ଆକ୍ରମଣରେ ୧୬୬ଜଣ ନିରୀହ ଲୋକ ପ୍ରାଣ ହରାଇଥିଲା ବେଳେ ୧୧ ଜଣ ଯବାନ ସହିଦ ହୋଇଥିଲେ । ଏହାସହ ୩୦୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିଲେ । ଆତଙ୍କୀର ଏହି କଳାରାତିକୁ ଆଜି ପୂରିଛି ୧୨ ବର୍ଷ । ସମୟ ସିନା ଗଡିଯାଇଛି, କିନ୍ତୁ ମୁମ୍ବାଇ ମାଟିରୁ ସେଦିନର ଚିହ୍ନ ଲିଭିନି ।

୨୦୦୮ ନଭେମ୍ବର ୨୩ରେ ୧୦ ଜଣ ଆତଙ୍କବାଦୀ ପାକିସ୍ତାନରୁ ବାହାରି ସମୁଦ୍ର ମଧ୍ୟ ଦେଇ ମୁମ୍ବାଇରେ ପହଞ୍ଚିଥିଲେ । ଏମାନଙ୍କର ଲକ୍ଷ୍ୟ ଥିଲା ଭାରତରେ ଆତଙ୍କର ଭୟ ସୃଷ୍ଟି କରିବା ଓ ଅଧିକରୁ ଅଧିକ ଲୋକଙ୍କୁ ମାରିବା । ଏଥିପାଇଁ ଆତଙ୍କବାଦୀମାନେ ପ୍ରଥମେ ଛତ୍ରପତି ଶିବାଜୀ ଟର୍ମିନସରେ ପହଞ୍ଚି ସାଧାରଣ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ଯେଉଁଥିରେ ସ୍ତବ୍ଧ ହୋଇଯାଇଥିଲା ପୂରା ଦେଶ । କେହି କିଛି ବୁଝିବା ଆଗରୁ ଚାଲିଯାଇଥିଲା ଅନେକ ଲୋକଙ୍କ ଜୀବନ ।

ଆଉ ଏହା ପରେ ହୋଟେଲ ତାଜ, ହୋଟେଲ ଓବରଏ, ଲିଓପୋଲ୍ଡ କାଫେ ଓ କାମା ହସ୍ପିଟାଲ ଭଳି ଜନଗହଳି ସ୍ଥାନରେ ଆତଙ୍କ ରଚିଥିଲେ ସୈତାନ । ବୋମା ବିସ୍ଫୋରଣ କରିବା ସହ ଆଖିବୁଜା ଗୁଳି ଚାଳନା କରିଥିଲେ ଆତଙ୍କୀ । ଗୋଟିଏ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ଆକ୍ରମଣ, ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହି ଘଟଣା ପରେ ସଜାଗ ହୋଇଥିଲା ଭାରତୀୟ ସେନା ବାହିନୀ । ଜୀବନକୁ ବାଜି ଲଗାଇ ଆତଙ୍କୀଙ୍କ ବିରୋଧରେ ଲଢେଇ କରିଥିଲେ ମୁମ୍ବାଇ ପୋଲିସ ସମେତ ଏନଏସଜି କମାଣ୍ଡୋ ।

ନଭେମ୍ବର ୨୬ରେ ଆତଙ୍କୀଙ୍କ ଟାର୍ଗେଟରେ ଥିଲା ତାଜ ହୋଟେଲ । ଯେଉଁଠି ଅନେକ ଲୋକଙ୍କୁ ବନ୍ଧକ ରଖିଥିଲେ ସୈତାନମାନେ । ବନ୍ଧକ ଲୋକମାନଙ୍କ ମଧ୍ୟରେ ୭ ବିଦେଶୀ ନାଗରିକ ମଧ୍ୟ ଥିଲେ । ୨୭ ନଭେମ୍ବର ସକାଳୁ ସକାଳୁ ତାଜ ହୋଟେଲର ହେରିଟେଜ ୱିଗଂରେ ନିଆଁ ଲଗାଇଦେଇଥିଲେ । ସେହି ନିଆଁର ଭୟକୁ ଦେଖିଥିଲା ସାରା ଦେଶ । ଆତଙ୍କବାଦୀଙ୍କ କବଳରେ ଥିଲା ପୂରା ତାଜ ହୋଟେଲ । ଖବର ପାଇ ଏନସଜି କମାଣ୍ଡୋ ଓ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ଅପରେସନ୍ ଆତଙ୍କୀ । ଏଥିରେ ୯ ଆତଙ୍କୀଙ୍କୁ ନିପାତ କରିଥିଲେ ସେନା । ଆଉ ଶେଷରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ, ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଆଜମଲ କସାବକୁ ଜୀବିତ ଧରାଥିଲେ ମୁମ୍ବାଇ ପୋଲିସ ।

କସାବ ଗିରଫ ହେବା ପରେ ପାକିସ୍ତାନୀ ଆତଙ୍କବାଦୀର ଖୁଲାସା କରିଥିଲା । ପରେ କସାବକୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ ସୁପ୍ରିମକୋର୍ଟ । ଏହି ଦଣ୍ଡ ଆଧାରରେ ୨୦୧୨ ନଭେମ୍ବର ୨୧ ତାରିଖରେ କସବକୁ ଫାଶୀ ଦିଆଯାଇଥିଲା ।

ବର୍ଷ ପରେ ବର୍ଷ ବିତିଚାଲିଛି, କିନ୍ତୁ ନଭେମ୍ବର ୨୬ ତାରିଖ ଆସିଲେ, ମୁମ୍ବାଇରେ ସେହି ଆତଙ୍କର ରାତି ମନେପଡିଯାଏ । ଅନ୍ଧାର ରାତିରେ ସିନା ଆତଙ୍କବାଦୀ ଆତଙ୍କ ରଚିଦେଲେ, କିନ୍ତୁ ଭାରତ ବି ଦେଇଥିଲା କଡା ଜବାବ ।